ପାଉଁଶ ତଳର ସ୍ବପ୍ନ
ପାଉଁଶ ତଳର ସ୍ବପ୍ନ
ପାଉଁଶ ତଳର ସ୍ବପ୍ନ କୁହୁଳୁଛି
ନୂଆ ଗଢିବାର ଆଶେ,
ଜୀବନର ଏହା ଚରମ ସତ୍ୟ
ସରେ ମୃତ୍ୟୁ ଯେବେ ଆସେ |
ମଣିଷର ମନ ନୀରବ ହୁଏନି
ସୁଖ ଖୋଜି ବୁଲୁଥାଏ,
ଭାଙ୍ଗି ପଡ଼ିଥିବା ମନଟା ବି ଆପେ
ସଜାଡି ତ ହୋଇଯାଏ |
ଜୀବନରେ ଯେତେ ଆସୁ ଝଡ଼ଝଞ୍ଜା
ମଥାପାତି ସହୁଥାଏ,
ସପନ ଭାଙ୍ଗେନି କେବେ ବି ତାହାର
ବଞ୍ଚିବାର ନିଶା ଥାଏ |
ମହାବାତ୍ୟା ପରି ଆସିଛି ବିପଦ
ହରାଇଛି ପରିଜନେ,
ଉଜୁଡି ଯାଇଛି କେତେ ଯେ ସଂସାର
ତଥାପି ସପନ ମନେ |
ଦେଖିଛି ଜୀବନେ କେତେ ଯେ ବନ୍ୟା
ପ୍ରାକୃତିକ ଦୁର୍ବିପାକ,
ମଣିଷର ଧୈର୍ଯ୍ୟ ଭାଙ୍ଗିନାହିଁ କେବେ
ଖୋଜିଛି ଆହୁରି ସୁଖ |
ବନ୍ଧୁକ ମୁନରେ ବଞ୍ଚିଛି ଜୀବନ
ମୃତ୍ୟୁ ଭାସେ ଆଖିଆଗେ,
ତଥାପି ବିରତ ହୁଏ ନାହିଁ କେବେ
ଆଗାମୀ ସପନ ଜାଗେ |
ମରିଯାଏ ପତି ଅବା ମରେ ପତ୍ନୀ
ସନ୍ତାନ ଯାଆନ୍ତି ଦୂରେ,
ଏଥିପାଇଁ କେବେ ମରିନାହିଁ କେହି
ଜୀବନ ଯନ୍ତ୍ରଣା ପରେ |
ସବୁଜ ସପନ ଉଙ୍କି ମାରୁଥାଏ
ପାଉଁଶ ଭିତରେ ରହି,
ଦୁକୁ ଦୁକୁ ହୋଇ ଜଳି ସେ ନିଶ୍ଚୟ
ଉଠିବ ଆଲୋକ ହୋଇ |
ଏଇତ ଜୀବନ ବଞ୍ଚିବା ପାଇଁ ସେ
ସଂଗ୍ରାମରେ ଚିର ରତ,
ସପନ ସରେନା ମନ ବି ମରେନା
ଯେତେ ଆସୁ ଦୁଃଖ କଷ୍ଟ |
ମଣିଷର ଏହି ପ୍ରବୃତ୍ତି ନିମନ୍ତେ
ସବୁ ଜୀବଠାରୁ ଭିନ୍ନ,
ନୂଆ ସମ୍ଭାବନା ବଞ୍ଚାଇ ରଖିଛି
ପାଉଁଶ ତଳର ସ୍ବପ୍ନ ।
