ପାଉଁଶ ତଳର ସ୍ବପ୍ନ
ପାଉଁଶ ତଳର ସ୍ବପ୍ନ
ନିର୍ବାପିତ ହେଲା କି ସେ ବହ୍ନି
ଛାତି ତଳେ ଜଳୁଥିଲା ସୁଖେ,
ଯାମିନୀରେ କାହା ଅପେକ୍ଷାରେ
ଧରି ହାତେ ଆଲୋକରୁ ମେଞ୍ଚେ ।।
ବାହାରଟା ଥିଲା ଅନ୍ଧକାର
ଭିତରେ ବି ତମସାର ଭିଡ,
ପୋଡା ଜଳା ଗନ୍ଧ ଭାସି ଆସେ
ସ୍ବପ୍ନ ସବୁ ହେଲେ କି ଅଙ୍ଗାର !।
ଅପେକ୍ଷା ତ ଅସହାୟ ଏଠି
ଉପେକ୍ଷାରେ କଟୁଛି ଜୀବନ,
ଅଞୁଳିରେ ଝାଉଁଳା ଅତୀତ
ଅହରହ କରୁଛି ରୋଦନ ।।
ପାଉଁଶ ତଳର ନିଭା ସ୍ବପ୍ନ
କ୍ଷୀଣ କିନ୍ତୁ ନୁହେଁ ମଲା ଜହ୍ନ
ମରମକୁ ଧିରେ ଛୁଇଁ ଯାଏ
ଆଶାର ସେ ପୂବେଇ ପବନ ।।
ତେଜି ଉଠେ ନିଆଁ ଝୁଲ ଟିକେ
ଜୀଇଁବାର ମଧୁର ଯାତନା
ଜଳୁଥାଏ ଦିକି ଦିକି ହୋଇ
ମାନେନା ସେ ,ମନା କା' ମାନେନା ।।
ଅଭିମାନୀ ଏ ଅବୁଝା ମନ
ଉଙ୍କି ମାରେ ମିଛେ ଗବାକ୍ଷରେ
ଲୁହ ପୋଛି ଲାଜେ ହସି ଦିଏ
ପାଦ ଶବ୍ଦ ଶୁଣି ଭାବନାରେ ।।
