ପାରିଜାତର ଦୁଃଖ
ପାରିଜାତର ଦୁଃଖ
ଦିବା ସୂର୍ଯ୍ୟ ଉଇଁଲେ ଚପଳା ଭୋରଟା
ଧୀରେ ଧୀରେ ସକାଳ ପାଲଟେ
ହେଲେ କେଉଁ ପ୍ରତୀକ୍ଷାର
ଅଭିସାରିକା ସାଜିଥିବା ଦିବ୍ୟ ପାରିଜାତ
ଆଉ କଣ ଗଛକୁ ଲେଉଟେ !
ତଥାପି ବି ସେ ନିଜ ପ୍ରୀତି
ପରଷିବାରେ ହେଳା କରେନି
ଦୀପର ସଳିତା ସାଜି ସେ
କାହାକୁ ଆଲୋକ ଦେଇ ପାରେନି ସତ
ହେଲେ ପ୍ରଦୀପଠାରୁ ଆହୁରି
ଗାଢ଼ ଜଳୁଥିବା ତା ପ୍ରେମ ଦେହରେ
ସେ ଛାଇ ଅନ୍ଧାରର ଶୀତଳତା ବୋଳିଦିଏ
ସୁବାସ ବିଛୁରିତ ହୁଏ ଦିଗନ୍ତ ବିସ୍ତାରି
ଗୋଟେ ନିରବ ପ୍ରେମ
ସାକାର ହୋଇଉଠେ
ନିଃଶ୍ୱାସ ମ୍ଳାନ ହେଉ ହେଉ
ରବିର ଆଗମନ ସ୍ପର୍ଶରେ......
