ପାରିବ ନାହିଁ କେବେ ସେ କହି
ପାରିବ ନାହିଁ କେବେ ସେ କହି
ଆଲୁଅ ବିନା ପାରିଛି ଜୀଇ
ଏମିତି କିଏ ଅଛି ସେ କୁହ
କିଏ ସେ ପୁଣି ଜୀଇଛି ଏଠି
ନ ଦେଖି ନିଜ ଲୋକର ମୁହଁ ।
ଏମିତି କିଏ ଅଛି ସେ ଏଠି
ପାରିଛି ଜୀଇ ନ ପିଇ ପାଣି
କିଏ ସେ ପୁଣି ଜୀଇଛି ହେଲେ
ଖାଇନି କିଛି ଆହାର ଆଣି ।
ପବନ ଯା'ର ହୋଇନି ଲୋଡ଼ା
ଜୀଇଛି କିଏ ସେପରି ସତେ
ମାଟିକି ଛାଡ଼ି ପାରିଛି ଜୀଇ
କିଏ ସେ ସିଏ କୁହ ହେ ମତେ ।
ପାଠଟି ବିନା ପାରିଛି ଜୀଇ
ଏମିତି କିଏ ଅଛି କି ଭାଇ
କିଏ ସେ ପୁଣି ଜୀଇଛି ଏଠି
ସପନ ଠାରୁ ଦୂରରେ ଥାଇ ।
ସେପରି ଏଠି ଅଛି କି କିଏ
ସେନେହ ବିନା ଜୀଇଛି ଯିଏ
ଚୁଲି ନାହିଁ କି ନାହିଁ ବି ଚାଳ
କୁହ ସେ କିଏ ଜୀବନ ଜୀଏ ।
ଏମିତି କିଏ ଜୀଇଛି ଏଠି
ଲୋଡିନି ନିଦ ପଡିନି ଶୋଇ
କିଏ ସେ ପୁଣି ଜୀଇଛି ଏଠି
ସୁଗୁଣଯାକ ଦୂରରେ ଥୋଇ ।
ସେମିତି କିଏ ଜୀଇଛି କୁହ
ଅଧିକାରଟି ଲୋଡିନି ଯିଏ
ନିଜର ସୁଖ ନ ଲୋଡି ଏଠି
ସମାଜ ବିନା ଜୀଇଛି କିଏ ।
ଯାହାକୁ ଯିଏ ଅଲୋଡ଼ା କହୁ
ଜୀବନ ଧରି ଥାଉ ବା ରହି
ଏଇସବୁକୁ ଅଲୋଡା ବୋଲି
ପାରିବ ନାହିଁ କେବେ ସେ କହି ।
