ପାର୍ବଣେ
ପାର୍ବଣେ
ନୀଳ ସାଗରର ନୀଳ ଉର୍ମିମାଳା
ଅଧୀରେ ବିଭୋରେ ନାଚେ,
ନିର୍ମଳ ଆକାଶେ ଧଳା ମେଘ ଭାସେ
ନୀଳ କଳେବର ସାଜେ |
ଆସିଛି ଲଗନ ଆସ ଅବତରି
ଅସୀମା ଆଶିଷ ଭରି,
ଢାଳିଦିଅ ମାଆ ସକଳ ଦୁନିଆ
ଅନ୍ଧକାର ଦୂର କରି |
ତୁମେ ମା ଭବାନୀ ଜଗତ ଜନନୀ
ତୁମେ ମା କଲ୍ୟାଣମୟୀ,
ତୁମେ ଦେବୀ ଦୁର୍ଗା ଦୁର୍ଗତି ନାଶିନୀ
ତୁମେ ଚିର ସୁଖଦାୟୀ |
ତୁମ ଆଗମନେ ଉଦ୍ଦୀପନା ମନେ
କାଶତଣ୍ଡୀ ଶ୍ୱେତ ଦିଶେ,
ଧୀର ସମୀରଣେ ବାସ ଖେଳିବୁଲେ
ନଦୀପଠା ଦୂରେ ହସେ |
ଆସ ଗୋ ଜନନୀ ବିଶ୍ୱ ବିମୋହିନୀ
ସିଂହବାହନରେ ବସି,
ଦଶ ଭୁଜେ ଦଶ ଅସ୍ତ୍ର ଧରିଅଛ
ଦିଅ ହେ ପାପିଙ୍କୁ ନାଶି |
ମହିଷାସୁରକୁ ମାରିଥିଲ ବୋଲି
ମହିଷାମର୍ଦ୍ଦିନୀ ନାମ,
ନାରୀ ବୋଲି ମାଆ ନାରୀର ସୁରକ୍ଷା
ମାନି ନିଅ ତୁମ କାମ |
ଆଜି ସଂସାରରେ ପାପ ବ୍ୟଭିଚାରେ
ନାରୀ ଭିଜେ ଅଶ୍ରୁନୀରେ,
ମଣିଷ ସାଜିଛି ମହିଷାସୁର ଯେ
ବିଚରନ୍ତି ନିର୍ଭୟରେ |
କାହାର ଭଗିନୀ କାହାର ନନ୍ଦିନୀ
ବୁଝେନାହିଁ କେବେ କିଏ,
ନଷ୍ଟ ପୁରୁଷର ଆଖିରେ ହିଂସ୍ରତା
ନାରୀଦେହ ଲୁଟିନିଏ |
ଅସହାୟ ଆଜି ନାରୀର ଜୀବନ
ସହରେ ବା ପଲ୍ଲୀପୁରେ,
ସମର୍ପିତା ସିଏ ତୁମରି ଚରଣେ
ମନେ ନୂଆ ଆଶା ଭରେ |
ମହିଷାସୁରକୁ ମାରିଦେଇ ତୁମେ
ପାପ ମୁକ୍ତ କଲ ଧରା,
ଆଜି ଆଉଥରେ ତୋଳିନିଅ ଅସ୍ତ୍ର
ଧ୍ବଂସ ହେଉ ପାପ ସାରା |
ପାର୍ବଣରେ ଆଜି ଭରିଦିଅ ମାଆ
ସବୁରି ଓଠରେ ହସ,
ତୁମରି କରୁଣା ଝରୁଥାଉ ସଦା
ଜଗତେ ମହକୁ ବାସ |