STORYMIRROR

Sujata Pati

Inspirational

3  

Sujata Pati

Inspirational

ପାର୍ବଣ ୨୦୨୧ : କବିତା

ପାର୍ବଣ ୨୦୨୧ : କବିତା

1 min
194


ଦୀପର ଭାଷାକୁ ବୁଝି ପାରିବା କି

   ସ୍ବଭାବ ତାହାର ଏହିପରି,

ସମସ୍ତଙ୍କ ପ୍ରତି ସମତା ସେ ଆଣେ

   ଶୁଭର ଆଲୋକ ପ୍ରଦାନ କରି।


ଦେଖେ ନାହିଁ ସେ ଧନୀ କି ଦରିଦ୍ର

  ଜଳୁଥାଏ ନିଜ ମାପ କାଠିରେ,

ସେ ମାପ କାଠିରେ ଭିନ୍ନତା ନାହିଁ

 ଗର୍ବ, ଅହଂକାରୁ ଅନେକ ଦୂରେ।


ସେଥିପାଇଁ ସେ ଆଗ ଲୋଡାହୁଏ

  ସବୁ ଚିରାଚରିତ ଶୁଭ କର୍ମରେ,

ନିଜେ ନ ଜଳିଲେ କିଛି ବି ହୁଏନା

  କର୍ମ ରହିଯାଏ ଅଧା ବାଟରେ।


ସହିବାର ଶକ୍ତି ତା'ଠାରୁ ଶିଖିବା

 ଆଲୋକ ଦିଏ ସେ ବିନା ଦ୍ବିଧା ରେ

ନିଜେ ଜଳି ଜଳି କଷ୍ଟ ପାଏ ସିନା

 ଆଶା ରଖେ ନାହିଁ ପ୍ରତି ଦାନରେ।


ଆବଶ୍ଯକ ହୁଏ ପୂଜା କର୍ମ ବେଳେ

  ସମସ୍ତଙ୍କ ଶୁଭ କାମନା ପାଇଁ

କର୍ମ ସରି ଗଲେ ମୂଲ୍ଯ ହୀନ ହୁଏ

 ପଡି ରହି ଥାଏ ଅଲୋଡା ହୋଇ।


ପୂଜା ବ୍ରତରେ ସେ ଆଗ ଖୋଜା ପଡେ

  ପ୍ରଭୁଙ୍କ ସମୀପେ ଜଳିବା ପାଇଁ

ଭକ୍ତ ଜନ ମାନେ ତା ମାଧ୍ଯମରେ

 ଗୁହାରୀ କରନ୍ତି ଆତ୍ମୀୟ ପାଇଁ।


ମାନି ନେବା ଯଦି ତା ' ଆଦର୍ଶକୁ

 ସୁଗମ ହେବ ଜୀବନର ପଥ,

ଗର୍ବ, ଅହଂକାର ,ପକ୍ଷପାତିତା ରୁ

 ଦୂରେଇବା ହେବ ଆମରି ଲକ୍ଷ୍ଯ।


ତେଣୁ ହେ ଦୀପ ! କେତେ ତୁ ମହାନ୍

  ଆମ ସ୍ବାର୍ଥ ପାଇଁ ତୁ ହିଁ ଜଳୁ

ଜଳି ଜଳି ଶେଷ ହୋଇଯାଉ ପଛେ

  ନିଜ କଥା କେବେ ମନେ ନ ଭାଳୁ...

   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational