ପାହାନ୍ତି ପହର
ପାହାନ୍ତି ପହର
ପାହାନ୍ତି ପହରେ ନିଦ ଭାଙ୍ଗିଗଲେ
ସ୍ବପ୍ନ ସବୁ ଯାଏ ସରି ସରି
ସତେ ନବବଧୂ ଓଢଣା ଭିତରେ
ମୁଁହ ତା ଲୁଚାଇ ଯାଏ ଅପସରି
ପାହାନ୍ତି ଆକାଶେ
କୁଆଁତାରା ଲାଗେ ଜହ୍ନ ପରି
ଚାହିଁଦେଲେ ଥରେ
ମନରେ ଉଠଇ ଝଡ଼ ଭାରି
ପାହାନ୍ତି ପହରେ
ଶୀତୁଆ ସକାଳେ କୁହୁଡି ଭରି
ଶିଶିର ଟୋପା ରେ ଘାସ ପଡ଼ିଆଟା ମୁକ୍ତାଭରି
ପାହାନ୍ତି ପହରେ ନିଦ ନଆସିଲେ
ଅଳସ ଭିତରେ ଦେହ ମନ
ଏତେ ଭାରି ଭାରି
କଅଁଳ ସୂର୍ଯ୍ୟଙ୍କ ପରଶ ଭିତରେ
ପକ୍ଷୀ ଉଡୁଥାଏ ଥିରି ଥିରି
ନେଉଳ ଭାଇଟା ତରତର କରି
ଏମୁଣ୍ଡୁ ସେମୁଣ୍ଡୁ ଦଉଡୁଥାଏ
ପଛକୁ ଅନାଇ ବୁଲି ବୁଲି କରି
ପାହାନ୍ତି ପହରେ
ଟିକି ଛୁଆଟିକୁ ନିଦ ଭାରି
ଅଳସ ଆଖିରେ ଭିଡି ମୋଡ଼ି ହୁଏ
ମାଆ କୋଳେ ଶୋଇ କରି
ପାହାନ୍ତା ପହରେ ଗାଇ ଗୁହାଳ ରେ
ହମ୍ବା ରଡି କରି ଘାସ ଖାଇବାକୁ ମନ କରି
ଧୂଆଁ ର ନିଆଁରେ ମଶା ଘଉଡାଏ
ମାଲିକ ତାହାରି ଯତ୍ନ କରି
ପାହାନ୍ତି ପହରେ
କବି ତା ଲେଖନୀ ମୁନରେ
ଲେଖିଯାଏ କେତେ ପାଥେୟକୁ ଭିତ୍ତି କରି
ପାଠ ପଢ଼ୁଥିବା ପୁଅ ଝିଅଙ୍କୁ
ଡାକନ୍ତି ବାପା ଉଠ ହରି ଆଉ ଝରି
ପାହାନ୍ତି ପହରେ
ମୁଁ ଚାଁହୁଥାଏ ଥିରି ଥିରି
ଦିନକ ଯାକର ଜଞ୍ଜାଳ ଭିତରୁ
ଏଇ ମୁହୂର୍ତ୍ତର ଏତେ ଉସ୍ମତା ଆଦ୍ରତା ବାଗ୍ମିତା
ଚିନ୍ତନ ଭଜନ କିଏ ଦେଲା ଭରି l