ପାହାଡ କନ୍ୟା
ପାହାଡ କନ୍ୟା
ମନ ଉଡ଼ି ଯାଏ କାହିଁ କେତେ ଦୂରେ
ସୀମା ହୀନ ଲକ୍ଷ୍ୟ ହୀନ
ପାହାଡି ଝିଅ ମୁଁ ନାହିଁ ମୋତେ ଡର
ରଜନୀ ହେଉ କି ଦିନ ।
ବନ୍ୟ କୁସୁମକୁ ଗଜରା କରିଛି
ଗଭାର ସୁନ୍ଦର ପାଇଁ
କୋକିଳ ଦେହରୁ କଜ୍ଜଳ ଆଣିଛି
ଆଖିକୁ ଦେବି ମୁଁ ଧୋଇ ।
ମଥାରେ ଶୋଭା ମୋ ରଙ୍ଗିନ କପଡା
ଗଳାକୁ କାଇଁଚ ମାଳି
ପିଠିରେ ବୋହିଛି ବଣ ଫଳ ଝୁଡ଼ି
ମିଠା କଷା ଭଳି ଭଳି ।
ଡାକୁଛି ଝିଙ୍କାରି ରାବେ ଶୁକ ଶାରୀ
ନାଚନ୍ତି ମୃଗୁଣୀ ଶିଖୀ
ମହୁଲି ବାସକୁ ବଣ ମଲ୍ଲୀ ଫୁଲ
ସୌରଭେ ଯାଇଛି ଯୋଖି ।
ବରଷା ଝରୁଛି ଝମଝମ୍ ଶଦ୍ଦେ
ବାତାୟନ ଖୋଲେ ନୀର
ଝରଣା ମନଟା ଚଞ୍ଚଳ ପରାୟେ
ଆଉ କି ହୋଇବ ସ୍ଥିର ।
ଶିଶିର ଟୋପାର ପିନ୍ଧାଇଲା ମୋତେ
ମଗୁଶୁର ପୁଷ ମାସ
କଅଁଳ ଖରାରେ ପାହାଡି ଝିଅର
ହୃଦୟେ ଜାଗିଲା ହସ ।
