ଓଠ ତଳ ହସ
ଓଠ ତଳ ହସ
ଦେବକୁଲ୍ୟା ପରି ଅଧର ଗର୍ଭରୁ
ଝରୁ ଥାଏ ସୁଧା ବାରି
ତହିଁରେ ଯେ ସ୍ନାନ କରେ ସେ ମହାନ୍
ଜଗତେ ନାହିଁ କେ ସରି ।
ଓଠରେ ବାସ ଯେ ସତ୍ୟ ନ୍ୟାୟ ଧର୍ମ
ସ୍ଵର୍ଗ ଭୂମି ପରି ଦୃଶ୍ୟ
ପୁଣି ସେହି ଓଠେ ପ୍ରକାଶେ କୁଭାଷା
ଲିଭାଏ ସବୁରି ହସ ।
ଓଠ ତଳ ହସ ବୁଝି ବୁଝାଇବା
ସହଜ ନୁହଁଇ କେବେ
ଏକା କବି ମନ କରେ ଉନ୍ମୋଚନ
ଆଉ କିଏ କାହିଁ ଭାବେ ।
ସେ ହସର ମୂଲ୍ୟ ଜନ୍ମଦାତ୍ରୀ ଜାଣେ
ଦେଖି ତା'ର ରଙ୍କନିଧି
ସେ ହସ ପାଖୁଡ଼ା ଉତ୍ସାହିତ ରୂପେ
କଳାକାର ପାଇଁ ବିଧି ।
ଅଧର ତରଙ୍ଗେ ମତୁଆଲା ହୋଇ
ପ୍ରେମୀ ପ୍ରାଣ ବିହୋଳିତ
ଚାରି ଆଖି ମିଶି ଆଙ୍କି ଥାନ୍ତିପପ୍ତ ରେ ଛବି
ପାନ କରି ସେ ଅମୃତ ।
ଓଠ କୁଲୟାରେ ବିହଙ୍ଗ କାକଳି
ସଜ୍ଜାଇଛି ରଖିଛି ତାନ
ସେ ଓଠ ତଳର ହସ କି ବୁଝିବେ
ହୃଦୟ ନଥିବା ଜନ ।
ଶତ ମଲ୍ଲୀ କଢି ଝରି ପଡେ ସୁଖେ
ଅଧର କୋଣରୁ ଆସି
ଗୁଣି ଚିହ୍ନେ ପରା ଗୁଣର ମହତ୍ତ୍ଵ
ଓଠ ପରଶରେ ଭାସି ।
ଚାପା ଓଠ ହସ ତଳେ କରେ ବାସ
ଶକୁନିର ପଶା ଖେଳ
ମାନଗୋବିନ୍ଦ ଯେ ମାୟାରେ ମୋହିତ
କାହୁଁ ପାଇବ ସେ ବେଳ ।
ଯୌବନ ଆବେଗେ କିବା ବିତ୍ତ ଗର୍ବେ
ଓଠ ତଳେ ହସ ସ୍ଥାନ
ଲଗାମହୀନରେ ଗୋପନତା ରଖ
ନଜାଣନ୍ତୁ ଅନ୍ୟ ଜନ ।
ହସ ଘୃଣାକ୍ଷର ହସ ଅହଂକାର
ହସର ବିବିଧ ରୂପ
ସେ ରୂପକୁ ଯଦି ନିୟନ୍ତ୍ରଣେ ରଖେ
ପାତକର ଲିଭେ କୋପ ।
ବଦନ ବୃନ୍ତରେ ବେନି ପାଖୁଡ଼ାରେ
ଅଧର ଆକାର ସୃଷ୍ଟି
ସତ୍ୟ ଆଶ୍ରୟରେ ଚିର କାଳ ପରା
ହସ ରହି ଥାଏ ତିଷ୍ଠି ।