ଓଡ଼ିଶାକୁ ଯାହା ଦେଖିଛି
ଓଡ଼ିଶାକୁ ଯାହା ଦେଖିଛି
ଓଡ଼ିଶା ବାହାର ଯାଇନାହିଁ ମୁହିଁ
ଓଡ଼ିଶାକୁ ଯାହା ଦେଖିଛି
ନିଜ ଅନୁଭୂତି ଦି'ପଦ ବଖାଣେ
ଯାହା ଯାହା ଏଠି ଘଟୁଛି ।
କେଡ଼େ ମନୋହର ମୋ ମାଆର କୋଳ
ସର୍ବଦା ସଜାଇ ରଖିଛି
ତାହାର ମହତ୍ତ୍ଵ କେତେ ଆମ ପାଇଁ
କାହାର ମନ କି ବୁଝିଛି ?
ଯଦି ବୁଝିଥାନ୍ତା ମୁଁ ମୋ' ଭିତରେ
ଆଖିକୁ କି ବୁଜି ଦିଅନ୍ତା ?
ବାହାର ଦୁନିଆ ଜଳଜଳ ହୋଇ
ତାହାକୁ ପରା ଦିଶୁଥାନ୍ତା ।
ନିଜ ବାସଟିକୁ ମୋର ବୋଲି କହି
ସଜାଉ ଥାଏ ତା'ର ରୂପ
ଘରୁ ବାହାରିଲେ ରାସ୍ତା ଆଉ ପାର୍ଶ୍ବ
ଦିଶୁଥାଏ କେଡ଼େ ଅରୂପ ।
ଠୋଲା ଜରି ଆଦି ବିଭିନ୍ନ ଅଳିଆ
ପଡ଼ଇ ବିକ୍ଷିପ୍ତ ଭାବରେ
ନାନା ଅନୁଷ୍ଠାନ ପାନପିକମୟ
ଛିଟାଛିଟା ନାଲି ରଙ୍ଗରେ ।
ନାଳନରଦମା, ମଇଳାର ଗନ୍ଧ
ଚଲାଇ ନ ଦିଏ ରାସ୍ତାରେ
ଗାଁରୁ ସହର ଯେଉଁଆଡ଼େ ଦେଖ
ବିଭତ୍ସ ରୂପ ସବୁଠାରେ ।
ଗ୍ରାମର ରାସ୍ତାଟି ବ୍ୟବହୃତ ଖଳା
ପୁଣି ଗାଈ, ଛେଳି ବାନ୍ଧନ୍ତି
କେତେ ଅସୁବିଧା ସରବେ ଜାଣନ୍ତି
ହେଲେ ପାଟି ବୁଜି ରଖନ୍ତି ।
ତୁଣ୍ଡ ଖୋଲିଦେଲେ ବିଷମ ସମସ୍ୟା
ଜାତିଆଣ ନୀତି କରଇ
ଆମ ପ୍ରଶାସନ ଦାୟୀ କି ନୁହଁଇ
ଏହିସବୁ ସମସ୍ୟା ପାଇଁ ।
ସ୍ବଚ୍ଛ ପଞ୍ଚାୟତ ନାମେ ବାଃ- ବାଃ
ମିଛେ ସରପଞ୍ଚ ନିଅଇ
ଟିଣ ବୋର୍ଡ଼ ରେ ସ୍ବଚ୍ଛତା ବାରତା
ଗାଁ ମୁଣ୍ଡ ଯାହା ଦେଖଇ ।
ଗାଁ ସାଥୀ ଅଛନ୍ତି ପ୍ରତ୍ୟେକ ଗାଁ
ହେଲେ କା' ସାଥୀ କି ହୁଅନ୍ତି
ପଚାରନ୍ତି କି ସେ ନିଜର ମନକୁ
କର୍ତ୍ତବ୍ୟକୁ କେତେ
ନିଭାନ୍ତି ।
ପ୍ରକୃତ ସ୍ବଚ୍ଛତା ଅଛି କେତେ ଦୂର
ପଞ୍ଚାୟତ ବି ଦେଖେ ନାହିଁ
ସବୁ ଜାଣି ଶୁଣି ରହଇ ନୀରବ
କାହିଁକି କେ କି ପଚାରଇ ?
ପାଳନ ସ୍ବଚ୍ଛତା ପକ୍ଷ ଯାହା ଏଠି
କାଗଜ କଲମେ ହୁଅଇ
କରିତ୍କର୍ମା ଯେତେ ବାହାଦୁରି ନ୍ୟ'ନ୍ତି
କେବଳ ଫଟୋଟେ ଉଠାଇ ।
ନାନାଦି ଖବରକାଗଜ ପୃଷ୍ଠାରେ
ଫଟୋରେ ହୋଇଥାନ୍ତି ଠିଆ
ପୁଣି ମନୋବୃତ୍ତି ମାଗଣା ଖିଆର
ଜମି ହୁଏ ନାହିଁ ଉଠିଆ ।
ଭୋଟ ଆସିଲେ ମାଛ ମାଂସ ଝୋଳେ
କରନ୍ତି ନିଇତି ଗାଧୁଆ
ଟଙ୍କା ଗୁଞ୍ଜା ପାଇ ପକେଟ ଗରମ
ହାଣ୍ଡିଆ ପାଖକୁ ଦାଣ୍ଡିଆ ।
ଆଇନ ଆଖିରେ ଧୂଳି ପିଙ୍ଗିଦେଇ
ଜଙ୍ଗଲ କଟାନ୍ତି ମାଫିଆ
ପୁଣି ପଶୁପକ୍ଷୀ କରନ୍ତି ଶିକାର
ଲୁଚିଲୁଚି ନିତି ଲୁଟିଆ ।
ଆହୁରି ଗୁମର କଥା ବି ଯେତେକ
ଖୋଲିବା ଦରକାର ନାହିଁ
ନିତି ନିତି ପରା ଦାଣ୍ଡରେ ହାଟରେ
ତାହା ଗଡ଼ଗଡ଼ଉଥାଇ ।
ସ୍ବଚ୍ଛ ମଣିଷଟେ ଭୋଗି ଅସୁବିଧା
ବିଚରାରେ ନାମ ଲେଖଇ
କଅଣ କରିବ କିପରି ଚଳିବ
ନିଇତି ଖାଲି ଭାବୁଥାଇ ।
ମଣିଷ ଜନମ ସାର୍ଥକ ଜୀବନ
ଧରି ଚଳୁଛନ୍ତି କି ନାହିଁ
ମନକୁ ଏ ପ୍ରଶ୍ନ ପଚାରେନି କେହି
ଶୋଚନା ଟିକେ ବି ନଥାଇ ।
ନିଜ ସହ ନିଜ ପରିବେଶ ସ୍ବଚ୍ଛ
ରଖିବାକୁ କର୍ତ୍ତବ୍ୟ ମଣି
ସିନା ପ୍ରତି ମନ ଆଗେଇ ଆସିଲେ
ଖୁସିମୁଠା ପାରିବା ବୁଣି ।
ସରବେ ଗାଁ ବା ସହର ମାଟିରେ
ଫୁଟିଥିବା ପେନ୍ଥାଏ ଫୁଲ
କେହି ନୁହେଁ ସାନ ଅବା ବଡ଼ ଏଠି
ନୁହେଁ କା' ସଙ୍ଗେ ବି କେ ତୁଲ ।