ଓଡ଼ିଆ ମାଟିର ଲଢୁଆ ବୀର
ଓଡ଼ିଆ ମାଟିର ଲଢୁଆ ବୀର
କଳକଳ କୂଳ ଉଚ୍ଛଳ ତରଙ୍ଗ
ଉତ୍କର୍ଷ ଉତ୍କଳ ଉଡ୍ର କଳିଙ୍ଗ
ଅନୁପମ ଭୂଇଁ ଓଡ଼ିଶା ଭୂଖଣ୍ଡ
ଶାସ୍ତ୍ରୀୟ ଓଡ଼ିଆ ଧ୍ୱନି ତରଙ୍ଗ ।
ଗିରିଗୁହା ଦେହେ କୋଣ ଅନୁକୋଣେ
ଭରି ରହିଅଛି କୀରତିରାଜି
ସଞ୍ଚରୁଛି ପ୍ରାଣ କାଷ୍ଠ ଓ ପ୍ରସ୍ତର
ଗାଥା ଐତିହ୍ୟକୁ ବଖାଣେ ଆଜି ।
ଜାଭା ବାଲି ମାଳ ସିଂହଳ ଦ୍ୱୀପରେ
ଶ୍ୟାମ କମ୍ବୋଡିଆ ଚାଇନା ଦେଶେ
ଦେଶ ବିଦେଶରେ ଉଡେ ବୈଜୟନ୍ତୀ
ଧର୍ମ ହେଉ ଶିକ୍ଷା ସ°ସ୍କୃତି କ୍ଷେତ୍ରେ ।
ସବୁଜ ବନାନୀ ଜୈବ ବିବିଧତା
ସଞ୍ଚରେ ଜୀବନ ରାଗ ମୂର୍ଚ୍ଛନା
ଶସ୍ୟ ଶ୍ୟାମଳା ଅନନ୍ୟା ଓଡ଼ିଶା
ପ୍ରାକୃତିକ ଦୃଶ୍ୟ ସୁମନୋହରା ।
ବୈତରଣୀ ପ୍ଲୁତା ବରାହ ବିରଜା
ଯଜ୍ଞ ଭୂମଣ୍ଡଳ ବେଦ ଓ ବିପ୍ର
ଧାମ ନୀଳାଚଳ ଶ୍ରୀ ପୁରୁଷୋତ୍ତମ
ଏକାମ୍ର ଅର୍କାଦି କ୍ଷେତ୍ର ପବିତ୍ର ।
ଗାଏ ମହୋଦଧି ସ୍ରୋତ ନଦନଦୀ
ଗିରି କନ୍ଦରର ଝର ନିର୍ଝର
ଓଡ଼ିଶା ମାଟିର ନାହିଁ ପଟାନ୍ତର
ଧନ୍ୟ ସାହସିକ ପାଇକ ବୀର ।
ଢାଳି ଦେଇଅଛି ବକ୍ଷର ଶୋଣିତ
ସମ୍ମୁଖ ସମରେ ସାକ୍ଷାତ ସିଂହ
ଜାଣିନାହିଁ ପଛ ଘୂଞ୍ଚା ତା ଜାତକେ
ଯୁଦ୍ଧ ପାରଙ୍ଗମ ଓଡ଼ିଆ ପୁଅ ।
ସହିଛି ଯାତନା ଦୁର୍ବିପାକ ବାତ୍ୟା
ବନ୍ୟା ମରୁଡିର ଭୀଷଣ ଦାଉ
ଟେକି ରହିଅଛି ସଗର୍ବେ ତା ମଥା
କାଳବକ୍ଷେ କୀର୍ତ୍ତି ରଚି ସୁବାହୁ ।
ରହିଛି ରହିବ ସୁବର୍ଣ୍ଣ ଅକ୍ଷରେ
ଅକ୍ଷୟ ଅମର ନାମ ତାହାର
ଯଶସ୍ୱୀ ଓଡ଼ିଆ ବୀର ଦେଶପ୍ରେମୀ
ଧନ୍ୟ ଓଡ଼ିଶାର ଲଢୁଆ ବୀର ।
