ଆଶ୍ରିତା
ଆଶ୍ରିତା


ଆଖି ମୋ ଭିଜିଲା କୋହରେ ଭରିଲା
ସ୍ମରି ସ୍ୱରୂପ ତୁମର ,
ରୋଷ କରିବନି ଦୋଷ ଧରିବନି
କରୁଛି କୋଟି ଜୁହାର ।
ତୁମେ ମୋର ଗତି ତୁମେ ମୋର ମୁକ୍ତି
ତୁମେହିଁ ସଞ୍ଜ ସକାଳ ,
ଦୁହିତା ଧର୍ମରେ ଜୀବନ ପଥରେ
ତୁମେ ସାଥୀ ଦୁଇ କୂଳ ।
ତୁମେ ଅନୁଭବ ତୁମେ ଅନୁରାଗ
ଚଲାପଥ ଜୀବନର ,
ତୁମେ ଲୀଳାମୟ ତୁମେ ଖେଳାମୟ
ଜଗତ ବଡ଼ ଠାକୁର ।
ତୁମେ ମାରିପାର ତୁମେ ତାରିପାର
ଆହେ ପ୍ରଭୁ ଚକା ଆଖି ,
ତୁମେ ନିରାକାର ତୁମେ ଅଣାକାର
ଭାବରେ ନିଅ ପରଖି ।
ପଦେ ମୁଁ ଆଶ୍ରିତା ହୋଇ ସମର୍ପିତା
ଆହେ ପ୍ରଭୁ ଚକ୍ରଧର ,
ଅନ୍ଧାରକୁ ନାଶି ଆଲୋକ ପ୍ରକାଶି
ସାହା ହେବ ଗିରିଧର ।
କେଉଁ ଭକତରେ ଗଣା ମୁଁ ଠାକୁରେ
ସତ୍ତା ମତେ ଜଣା ନାହିଁ ,
ସୃଷ୍ଟିରେ ତୁମରି ଜନ୍ମ
ିଛି ମୁଁ ନାରୀ
ତଥାପି କୃତଜ୍ଞ ମୁହିଁ ।
ମନ ଯମୁନାର ନିରବ ସୁଅର
ମୁଁ ପ୍ରଭୁ ଭସା ପତର ,
ଅଦୃଶ୍ୟ ଈଶ୍ୱର ଶ୍ରେଷ୍ଠ ଯାଦୁକର
କରିବ ମତେ ଉଦ୍ଧାର ।
ତୁମଠି ବିଶ୍ଵାସ ଅଛି ଜଗଦୀଶ
ତୁମେ ପା ' ଦୟା ସାଗର ,
ହେ ଦୀନ ଦୟାଳୁ ଜଗତ କୃପାଳୁ
ତୁମେ ମୋର ଆପଣାର ।
ଦାରୁରୁ ଜନମ ପ୍ରଭୁ ଦାରୁବ୍ରହ୍ମ
ତୁମେ ତ ସଂସାରେ ସାର ,
ଯୁଗ ଯୁଗ ଧରି ବ୍ରହ୍ମାଣ୍ଡ ବିହାରୀ
ପୂଜ୍ୟ ଜଗତ ଈଶ୍ୱର ।
ଜଗତ ଠାକୁରେ ଶରଣ ପୟରେ
ତୁମ ବାହୁଛାୟା ତଳେ ,
ତୁମ ନାମ ସ୍ମରି ଜଣାଇ ଗୁହାରି
ଆଶ୍ରିତା ମୁଁ ଚିରକାଳେ ।
ସମସ୍ତଙ୍କ ବନ୍ଧୁ ଆହେ ଜଗବନ୍ଧୁ
କଳାମୁଖ କଳାକାର
ଅନ୍ତର ବେଦନା ଶୁଣିବ ମଣିମା
କ୍ଷମିବ ଦୋଷ ମୋହର ।