ପ୍ରଭୁ ଶ୍ରୀଭେଙ୍କଟେଶ୍ୱର
ପ୍ରଭୁ ଶ୍ରୀଭେଙ୍କଟେଶ୍ୱର
ଦ୍ୱାପରରେ ହରି କୃଷ୍ଣ ଅବତାରେ
ଦେବକୀ ଗର୍ଭେ ସମ୍ଭୂତ l
ଦେବ ମାୟା ବଳେ ଗୋପପୁର ଗଲେ
ପାଳିଲେ ଯଶୋଦା ମାତ ll
ବାତ୍ସଲ୍ୟ ଡୋରୀରେ ବାନ୍ଧିଥିଲେ ମାତା
ଖୁଆଇ ସର ଲବଣୀ ll
ଗେହ୍ଲେଇ ଡାକନ୍ତି କଳାକାହ୍ନୁ ମୋର
ଦୁଃଖିଧନ ନୀଳମଣି l
କୃଷ୍ଣ ଅବତାର କଂସର ସଂହାର
ଧରଣୀ ଭାରା ଉଶ୍ୱାସ l
ତେଜି ଗୋପପୁର ବାର ବର୍ଷେ ଗଲେ
ମଥୁରା ଜଗନ୍ନିବାସ ll
କଂସ ବଧ କରି ମଥୁରା ନବରେ
ଉଗ୍ରସେନ କଲେ ରାଜା l
କଂସାରୀ ମୁରାରୀ ମଧୁକୈଟଭାରୀ
ଜଗତେ ଉଡ଼ଇ ଧ୍ଵଜା ll
ଜରାସନ୍ଧ ଡରି ପ୍ରଭୁ ଦଇତାରୀ
ତେଜିଲେ ମଥୁରା ଭୂଇଁ l
ସାଗର ବେଷ୍ଟିତ ଦ୍ୱାରକା ପୁରୀରେ
ରହିଲେ ଗଡ଼ ଗଢ଼ାଇ ll
ଷୋଳ ଶସ୍ର ନାରୀ ଐଶ୍ୱର୍ଯ୍ୟ ନଗରୀ
ସେବା ଅଷ୍ଟ ପାଟବଂଶୀ l
ଗୋକୁଳେ ଆକୁଳେ ଝୁରନ୍ତି ଯଶୋଦା
ବାଜୁନି କହ୍ନାଇ ବଂଶୀ ll
ଏକଦିନେ ମାତା ବାଟ ଖୋଜି ହେଲେ
ଦ୍ୱାରକାରେ ପରବେଶ l
କାହ୍ନାଇକୁ ଡାକି କହନ୍ତି ବାବୁରେ
ମନ ହେଉନାହିଁ ତୋଷ ll
ଦେଖିନାହିଁ ମୁହିଁ ଶୁଣିଛି କେବଳ ତୋର
ବିବାହ କାହାଣୀ l
ମହା ଧୁମ ଧାମେ ବିଭା ହୋଇଥିଲୁ
ସତ୍ୟଭାମା ରୁକମଣୀ ll
ଏ ବୃଦ୍ଧ ବୟସେ ବାବୁରେ କାହିଁକି
ବଳୁଛି ମୋହର ମନ l
ଦେଖା ଟିକେ ତୋର ସେ ବିବାହ ଲୀଳା
ବଞ୍ଚିବି ମୁଁ କେତେ ଦିନ ll
ଆଡ଼ମ୍ବରେ ପ୍ରଭୁ ଆୟୋଜନ କଲେ
ବିବାହେ ତୋଷ ଜନନୀ l
ପ୍ରଭୁ ହେଲେ ବର ଶ୍ରୀନିବାସ ପୁଣି
କନ୍ୟା ପଦ୍ମାବତୀ ରାଣୀ ll
ବିବାହ ଖରଚ ପାଇଁ ପ୍ରଭୁ କଲେ
କୁବେରଙ୍କ ଠାରୁ ଋଣ l
ପ୍ରଭୁଙ୍କ ସେ ଋଣ କଳିଯୁଗେ ଭାଈ
ସୁଝିବେ ଭକତ ଗଣ ll
ଭେଙ୍କଟାଦ୍ରି ବାସ ପ୍ରଭୁ ଭେଙ୍କଟେଶ
ସପ୍ତଗିରି ତିରୁପତି l
କଳି ଯୁଗେ ସ୍ୱୟଂ ବିଷ୍ଣୁ ବିଜେ ତହିଁ
ସଙ୍ଗେ ଲକ୍ଷ୍ମୀ ପଦ୍ମାବତୀ ll
କଳିଯୁଗ ଶେଷେ ପ୍ରଭୁ ହେବେ କଳ୍କୀ
ଧୂମକେତୁ ଅବତାର l
ଦୁଷ୍ଟଙ୍କୁ ସଂହାରି ତିରୁପତି ତେଜି
ଯିବେ ବଇକୁଣ୍ଠ ପୁର ll
କେତେ କେତେ ଭକ୍ତ ଛୁଟି ଆସୁଛନ୍ତି
ପ୍ରଭୁଙ୍କ ଦର୍ଶନ ପାଇଁ l
ତାଙ୍କ ଶ୍ରୀଚରଣେ ଶରଣ ମୋହର
ନେତ୍ରେ ଥାନ୍ତୁ ପ୍ରଭୁ ରହି ll
