କାଳ ଆବର୍ତ୍ତନେ
କାଳ ଆବର୍ତ୍ତନେ
କାଳ ଆବର୍ତ୍ତନେ ଆସି ଅଛି ମୁହିଁ
ଦୁଇ ହଜାର ବାଇଶି l
ଅନନ୍ତ କାଳରେ କ୍ଷୁଦ୍ର ବିନ୍ଦୁ ମାତ୍ର
ଆଜ୍ଞା ଦେଲେ ବ୍ରହ୍ମ ରାଶି l
ସଙ୍ଗେ ଆଣି ଅଛି ସୁଖ ଦୁଃଖ ସବୁ
ଦେବାକୁ ତାହାକୁ ବାଣ୍ଟି l
ଦୋଷ ଦେବ ନାହିଁ କର୍ମ ଅନୁସାରେ
ତାହାକୁ ନିଅ ସାଉଁଟି l
କାଳର ଆୟୁଷ ଚାରି ଯୁଗେ ପରା
ଶାସ୍ତ୍ର କରିଛି କଳ୍ପନା l
କାଳର ଆୟୁଷ କଳି ପାରେ କେବା
ଵର୍ଷା ଧାରା ଧୂଳିକଣା l
ଚାରି ଲକ୍ଷ ଦ୍ୱାତ୍ରିଂଶ ବର୍ଷ ଶହସ୍ର
ଅଟେ କଳି କାଳ ଆୟୁ l
ପାଞ୍ଚ ସସ୍ର ବର୍ଷ ବିତି ଯାଇଅଛି
ଘନ ଯେହ୍ନେ ତଡ଼େ ବାୟୁ l
ଦ୍ୱାପରର ପରମାୟୁ ଅଟେ ସସ୍ର
ଆଠ ଲକ୍ଷ ଚଉଷଠି l
ଦ୍ୱାପରର ଅନ୍ତେ ବଇକୁଣ୍ଠ ଗଲେ
ଶ୍ରୀକୃଷ୍ଣ ପାର୍ଥ ସାରଥୀ l
ତ୍ରେତୟାର ପରମାୟୁ ଅଟେ ସସ୍ର
ବାର ଲକ୍ଷ ଛୟାନବେ l
ରାମ ଅବତାରେ ରାବଣ ନିଧନ
ପ୍ରଭୁ ଲୀଳା କଲେ ଭବେ l
କୃତଯୁଗ ପରମାୟୁ ଅଟେ ସସ୍ର
ସପ୍ତଦଶ ଅଷ୍ଟ ବିଂଶ l
ବାମନ ରୂପରେ ବଳି ଦର୍ପ ଗଞ୍ଜା
ଅବତାର ହୃଷୀକେଶ l
ଏତିକି ମାତର ପ୍ରଭୁଙ୍କ ଦୟାରୁ ନରେ
ପାରିଅଛ ଜାଣି l
ଅସୀମ ଏ କାଳ ଆଦି ଅନ୍ତ ନାହିଁ
ବହିଯାଏ ଯେହ୍ନେ ପାଣି l
ବହିଗଲା କାଳ ନ ଫେରେ ସେ ପୁଣି
ନାହିଁ ତା ପାଶ୍ଚାତ ଗତି l
ଆଜି କାମ ଏବେ କର ଭାଈ ଶୀଘ୍ର
କାଲିକୁ ନ ରଖ ଚିନ୍ତି l
ଦୁଇ କଥା ଭାଈ କହିଦେଲି ମୁହିଁ
ନଧରିବ ମୋର ଦୋଷ l
କାଲି ପରା କାଳ ହାବୁଡ଼ିବ ଆସି
ଶେଷ ହେବ ମୋ ଆୟୁଷ l
କର୍ମ ପଥେ ନର ହୁଅ ଆଗୁସାର
ସତ୍ କର୍ମେ ରଖ ମତି l
ପ୍ରଭୁ ଦୟାମୟ ମଙ୍ଗଳ ଆଳୟ
ହୃଦେ ଚିନ୍ତି ନିତି ନିତି l