STORYMIRROR

ବି. ନିରୁପମା

Inspirational Others Children

4  

ବି. ନିରୁପମା

Inspirational Others Children

ନ୍ୟାୟ ବିଚାର

ନ୍ୟାୟ ବିଚାର

3 mins
292


ସେତେବେଳେ ଉଜ୍ଜୟିନୀ ରାଜ୍ୟର ଶାସକ ଥା'ନ୍ତି ମହାରାଜ ଭୋଜ ।ପ୍ରଜାପାଳନ ତଥା ନ୍ୟାୟ ପ୍ରଦାନ କ୍ଷେତ୍ରରେ ତାଙ୍କର ବହୁତ ସୁନାମ ଥାଏ ।


    ଦିନେ ଜଣେ ସୌଦାଗର ମହାରାଜାଙ୍କ ପାଖକୁ ନ୍ୟାୟ ପାଇଁ ଆସିଲେ ।ସେ କହିଲେ- "ମଣିମା, କିଛି ଦିନ ତଳେ ମୁଁ ବାଣିଜ୍ୟ କରିବାକୁ ବିଦେଶକୁ ବାହାରିଲି ।ଯିବାବେଳେ ମୋର ସ୍ତ୍ରୀ ଏବଂ ପିଲାମାନଙ୍କୁ ସାଥିରେ ନ ନେଇ ଘରେ ଛାଡ଼ି ଏକା ଚାଲିଗଲି ।ବିଦେଶରେ ରହି ବହୁତ ଧନ ରୋଜଗାର କରିସରିବା ପରେ ଏବେ ଘରକୁ ଫେରିଲି ।ଘରଲୋକ ମୋତେ ଦେଖି ଖୁସି ହେବା ବଦଳରେ ଅପମାନିତ କରି ତଡ଼ି ଦେଲେ ।କାରଣ କେତେଦିନ ହେଲା ମୋ ଭଳି ଅବିକଳ ଚେହେରା ଥିବା ଆଉ ଜଣେ ବ୍ୟକ୍ତି ମୋରି ପରିଚୟ ଦେଇ ସେହି ଘରେ ରହୁଛି ।ଏଣୁ ଏହି ସମାସ୍ୟାର ସମାଧାନ କରିବା ସହ ମୋ ସ୍ତ୍ରୀ, ପିଲାଙ୍କୁ ମୋତେ ଫେରାଇ ଦେବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ।" ଅଭିଯୋଗଟି ଶୁଣିବା ପରେ ମହାରାଜ ଭୋଜ, ଦୂତ ପଠାଇ ଘରେ ଥିବା ସୌଦାଗର ଏବଂ ସ୍ତ୍ରୀ ପିଲାଙ୍କୁ ଦରବାରକୁ ଡକାଇ ଆଣିଲେ ।


କିଛି ସମୟ ଧରି ମହାରାଜ ଦୁଇ ସୌଦାଗରଙ୍କୁ ନିରୀକ୍ଷଣ କଲେ ।ଆଶ୍ଚର୍ଯ୍ୟ, ଦୁହିଁଙ୍କ ଚେହେରାରେ କୌଣସି ପାର୍ଥକ୍ୟ ନାହିଁ ।ରାଜା ସେମାନଙ୍କୁ କିଛି କହିବା ପୂର୍ବରୁ ଦ୍ଵିତୀୟ ସୌଦାଗର ଜଣକ କାନ୍ଦି କାନ୍ଦି ନିଜେ ଅସଲି ସୌଦାଗର ବୋଲି ଦାବିକଲେ ।ପରେ ମାଆ, ଛୁଆ ସଭିଏଁ ତାଙ୍କ ସପକ୍ଷରେ ମତଦେଲେ ।ସେମାନେ କହିଲେ-"ସୌଦାଗର ବାଣିଜ୍ୟ କରି ଗଲାପରେ ବିଦେଶରେ ତାଙ୍କର ଘର କଥା ବାରମ୍ବାର ମନେପଡ଼ିଲା ।ତେଣୁ କିଛି ଦିନ ଉତ୍ତାରୁ ସେ ଘରକୁ ବାହୁଡ଼ି ଆସିଲେ ।ଆସିବା ପରଠାରୁ ପରିବାର ଲୋକଙ୍କ ଦାୟିତ୍ୱ ସେ ଭଲ ଭାବରେ ତୁଲାଇ ଆସୁଛନ୍ତି ।"


   ସେମାନଙ୍କ ସୁଖକୁ ଦେଖି ସହି ନ ପାରି କେହି ଛଦ୍ମବେଶୀ ମାୟାବୀ ଆସି ଏଠାରେ ଅଭିଯୋଗ କରୁଛି ବୋଲି ମଧ୍ୟ ସେମାନେ ଜଣାଇଲେ ।


      ମହାରାଜ ଦୁଇପକ୍ଷର ଅଭିଯୋଗ ଓ ମତାମତ ଶୁଣିବାପରେ ବିଚାର କରି ତାଙ୍କ ରାୟ ଶୁଣାଇଲେ ।ରାଜାଙ୍କ କହିବା ଅନୁଯାୟୀ-"ଦ୍ୱିତୀୟ ସୌଦାଗର ହିଁ ଅସଲି ସୌଦାଗର ।କାରଣ ସ୍ତ୍ରୀ ପିଲାମାନେ ତାକୁ ଚିହ୍ନଟ କରିଛନ୍ତି ।ତେଣୁ ସେ ଏବେ ଏଠାରୁ ତା'ର ସ୍ତ୍ରୀ ପିଲାଙ୍କୁ ଧରି ଘରକୁ ଯାଇପାରେ ।" ପ୍ରଥମ ସୌଦାଗର ରାଜାଙ୍କ ନିକଟରେ ମିଥ୍ୟା ଅଭିଯୋଗ କରିଥିବାରୁ ତାଙ୍କୁ ରାଜ୍ୟ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଗଲା ।ତେଣୁ ସେ ମନଦୁଃଖରେ କାନ୍ଦି କାନ୍ଦି ସେଠାରୁ ଚାଲିଗଲେ ।


ସୌଦାଗର ଜଣକ ଯାଉ ଯାଉ ବାଟରେ ଦେଖିଲେ ଦଳେ ଗାଈଆଳ ପିଲା ଗୋରୁପଲଙ୍କୁ ଚରିବାକୁ ଛାଡ଼ିଦେଇ ରାଜା ମନ୍ତ୍ରୀ ଖେଳ ଖେଳୁଛନ୍ତି ।ସେମାନଙ୍କ ରାଜା ଗୋଟିଏ ଉଇହୁଙ୍କା ଉପରେ ବସି ହାରି ଗୁହାରି ଶୁଣୁଛନ୍ତି ।ସେହି ହୁଙ୍କା ରାଜାଙ୍କର ଦୃଷ୍ଟି, ମନକୁ ମନ କିଛି କହି କହି ଯାଉଥିବା ସୌଦାଗର ଉପରେ ପଡ଼ିବାରୁ ତାକୁ ନିକଟକୁ ନେଇ ଆସିବାକୁ ସେ କଟୁଆଳକୁ ଆଦେଶ ଦେଲେ ।ସୌଦାଗର ସେଠାକୁ ଆସିବା ପରେ ହୁଙ୍କା ରାଜା ତାଙ୍କ ପାଖରୁ ସମସ୍ତ ଘଟଣା ଶୁଣିଲେ ।ଏହାର ଉପଯୁକ୍ତ ବିଚାର କରି ତାଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଲେ ।


  ଦ୍ୱିତୀୟ ସୌଦାଗର ଜଣକ ତାଙ୍କ ସ୍ତ୍ରୀ ପିଲାଙ୍କୁ ଧରି ଖୁସିରେ ସେଇ ବାଟଦେଇ ଫେରିବାବେଳେ ହୁଙ୍କା ରାଜା ସେମାନଙ୍କୁ ସେଠାରେ ଅଟକାଇଲେ ।ଉଭୟ ସୌଦାଗରଙ୍କୁ ପାଖକୁ ଡାକି କହିଲେ, ସେ ମହାରାଜ ଭୋଜଙ୍କ ନ୍ୟାୟ ବିଚାରରେ ଆଦୋୖ ସନ୍ତୁଷ୍ଟ ନୁହଁନ୍ତି ।ତେଣୁ ଏଠାରେ ନିଜେ ଆଉଥରେ ସେମାନଙ୍କର ବିଚାର କରିବେ ।ଏଥିରେ ଦୁହେଁ ସମ୍ମତି ପ୍ରଦାନ କରିବାରୁ ରାଜା ମନ୍ତ୍ରୀଙ୍କୁ ଏକ ମାଠିଆ ନେଇ ଆସିବାକୁ କହିଲେ ।ତହୁଁ ପାଖ ଅଞ୍ଚଳରୁ ଏକ ମାଠିଆ ଅଣାଗଲା ।ସେହି ମାଠିଆକୁ ଦେଖାଇ ହୁଙ୍କା ରାଜା କହିଲେ, "ଶୁଣ, ତୁମ ଦୁଇଜଣଙ୍କ ମଧ୍ୟରୁ ଯିଏ ଏହି ମାଠିଆ ଭିତରେ ପ୍ରବେଶ କରିପାରିବ, ସେ ହିଁ ଅସଲି ସୌଦାଗର ।ଆଉ ଏ ସ୍ତ୍ରୀ ପିଲା ତା'ର ।"


   ଏ ସବୁ ଶୁଣି ପ୍ରଥମ ସୌଦାଗର ଜଣକ କହିଲେ, "ଇଏ କେମିତି ନ୍ୟାୟ !ମୁଁ ତ ଗୋଟାଏ ମଣିଷ, ଏ ମାଠିଆ ଭିତରେ କେମିତି ପଶିବି ?"


     ତାଙ୍କ କଥା ଶୁଣି ଦ୍ଵିତୀୟ ସୌଦାଗର ଜଣଙ୍କ ଆନନ୍ଦରେ ଗଦଗଦ ହୋଇଯାଇ କହିଲେ, "ଓ ଏଇକଥା ତ !ଦେଖନ୍ତୁ ମହାରାଜ, ମୁଁ କେମିତି ସଙ୍ଗେ ସଙ୍ଗେ ମାଠିଆ ଭିତରେ ପ୍ରବେଶ କରୁଛି ।"କହୁ କହୁ ସେ ନିଜ ଆକୃତିକୁ ଛୋଟ କରି ମାଠିଆରେ ପଶିଗଲା ।ଆଉ କାଳ ବିଳମ୍ବ ନ କରି ହୁଙ୍କା ରାଜା ତାଙ୍କ ମୁଣ୍ଡରେ ଭିଡ଼ିଥିବା ଠେକାଟିକୁ ଖୋଲି ମାଠିଆ ମୁହଁରେ ଚାପି ବାନ୍ଧିଦେଲେ ।ବଦମାସ ଭୂତ ଏଥର ଯିବ କୁଆଡ଼େ ? ମାଠିଆ ଖୋଲ, ମାଠିଆ ଖୋଲ ବୋଲି ଭିତରୁ ଖାଲି ରଡ଼ି କରୁଥାଏ ।


    ପ୍ରଥମ ସୌଦାଗର ଜଣକ ତାଙ୍କ ସ୍ତ୍ରୀ ପିଲାଙ୍କୁ ଫେରି ପାଇଲେ ।ଆନନ୍ଦରେ ଗଦଗଦ ହୋଇ ସେ ହୁଙ୍କା ରାଜାଙ୍କର ଜୟ ଜୟକାର କଲେ ।ଏ ବିଷୟରେ ଗୁପ୍ତଚର ନିକଟରୁ ସୂଚନା ପାଇ ମହାରାଜ ଭୋଜ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ।ପାତ୍ର ମନ୍ତ୍ରୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ସେ ଜାଣିବାକୁ ପାଇଲେ, ହୁଙ୍କା ରାଜା ଜଣେ ସାଧାରଣ ଗାଈଆଳ ପିଲା; କିନ୍ତୁ ଯେତେବେଳେ ହୁଙ୍କା ଉପରେ ଯାଇ ବସେ ସେତେବେଳେ ଜଣେ ବିଜ୍ଞ, ନୀତିନିଷ୍ଠ ଶାସକ ଭଳି ଆଚରଣ ଓ ବିଚାର କରେ ।


    ଏ ହୁଙ୍କା ସହ କିଛି ଗୋଟିଏ ରହସ୍ୟ ନିଶ୍ଚିତ ଭାବେ ଜଡ଼ିତ ରହିଛି ।ତେଣୁ ମହାରାଜ ଭୋଜ ଶୀଘ୍ର ସେହି ସ୍ଥାନର ଖନନ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ।ଖୋଳାଖୋଳି ସରିବା ପରେ ସେହି ସ୍ଥାନରୁ ଏକ ରତ୍ନଖଚିତ ସ୍ୱର୍ଣ୍ଣ ସିଂହାସନ ପ୍ରାପ୍ତ ହେଲା ।ଯାହାର ବତ୍ରିଶ ଗୋଟି ପାବଚ୍ଛରେ ବତିଶଜଣ ଅପ୍ସରା ମୂର୍ତ୍ତି ରୂପରେ ଶୋଭା ପାଉଥିଲେ ।ସେହି ସିଂହାସନ ଉପରେ ଆରୂଢ଼ ହୋଇ ମହାରାଜ ବିକ୍ରମାଦିତ୍ୟ ତାଙ୍କର ରାଜକାର୍ଯ୍ୟ ସୁଚାରୁ ଭାବେ ତୁଲାଉଥିଲେ ।ଏବେ ଭୋଜରାଜଙ୍କୁ ତାହା ପ୍ରାପ୍ତ ହେବାପରେ ସେ ତାକୁ ଆପଣା ସିଂହାସନ ଭାବରେ ଗ୍ରହଣ କଲେ ।ଏଥର ସେ ପୂର୍ବାପେକ୍ଷା ଅଧିକ ପ୍ରଜାବତ୍ସଳ ଏବଂ ନ୍ୟାୟପରାୟଣ ଶାସକ ଭାବେ ନିଜକୁ ପ୍ରତିଷ୍ଠା କଲେ ।




Rate this content
Log in

Similar oriya poem from Inspirational