ନୂଆ ସକାଳ
ନୂଆ ସକାଳ
ନୂଆ ବରଷରେ ସିନା ଆସେ ଥରେ
ସୁନେଲି ଆଲୋକ ବୁଣି
ନୂତନ ଭାବନା ନବ ଉନ୍ମାଦନା
ରୋମାଞ୍ଚ , ଉଲ୍ଲାସ ତୋଳି ।
କିନ୍ତୁ ପ୍ରତିଦିନ ଆସଇ ନୂତନ
ସମ୍ଭାବନା ରାଶି ଆଣି
ନୂଆ ସକାଳରେ ଶୀତୁଆ ପବନେ
କେତେ ଖୁସି ଲାଗେ ଚାହିଁ ।
ନବୀନ ଉଷାର ପହିଲି କିରଣ
ବୁଣି ଆସେ ନୂଆ ସକାଳ
ନବୀନ ଚମକେ ଚେତନା ଆବେଗ
ସାଥେ କେତେ ଯେ କୌତୁହଳ ।
ସୃଷ୍ଟିକରି ପ୍ରତି ଜନ ମନ ପ୍ରାଣ
ପୁଲକିତ କରି ପକାଏ
ଅନ୍ତରରେ ନବ ରୋମାଞ୍ଚ ଉଲ୍ଲାସ
ଉଦ୍ଦୀପନା କେତେ ଯୋଗାଏ ।
ଏ ନବସକାଳ ସଞ୍ଚାରେ ପ୍ରେରଣା
ସାହସ , ଶକତି , ଉତ୍ସାହ
ଜାଗୃତିର ଦିବ୍ୟ ପ୍ରଶାନ୍ତି ପ୍ଲାବନେ
ହରିନିଏ ମନରୁ ଭୟ ।
ନୂଆ ବରଷର ନୂତନ ସକାଳ
ନୂତନ ଭାବନା ନିମଗ୍ନ
କରାଏ ନିରତ ସାଧେ କେତେ ହିତ
ଦିଏ ନିତ୍ୟେ ଦିବ୍ୟ ଆହ୍ଵାନ ।