ନୁଆଁ ବର୍ଷ ଆସିଗଲା
ନୁଆଁ ବର୍ଷ ଆସିଗଲା
ହଁ, ତମେ ହିଁ କହିପାର
ନୂଆଁ ବର୍ଷ ଆସିଗଲା,
ଅତୀତର ଛାଇ କୁ ପୁଣି ଲମ୍ବା କରିଦେଇ,
କିନ୍ତୁ ମୁଁ ଚୁପ,
ବର୍ତ୍ତମାନର ଆୟୁଷ ତ କିଛି କ୍ଷଣ ହିଁ ମାତ୍ର,
ସେ ଅମର ବି ତ ନୁହଁ।
ଜଣଙ୍କ ହାତ ଛାଡ଼ି
ଅନ୍ୟ ହାତ ଧରିବାର ଯନ୍ତ୍ରଣା,
ନା ତମେ ବୁଝିପାରିବ ନା ମୁଁ।
ରାତ୍ରିର ସ୍ୱପ୍ନରେ ଘୋଡ଼ି ହୋଇ
ସକାଳର ଚେତନାରେ ଅନ୍ୟମନସ୍କ ହେବା
ବିଭୋର ହେବା
ସମୟର ପ୍ରତିବିମ୍ବ ନୁହଁ ତ କଣ।
ରାଧାର କୃଷ୍ଣ ତ
ଏମିତି ବଂଶୀ ବଜାଉ ବଜାଉ
ମହାଭାରତ ରଥର ସାରଥି।
ସିଦ୍ଧାର୍ଥ ଏମିତି ସତ୍ୟ ଖୋଜୁ ଖୋଜୁ
ପତ୍ନୀଙ୍କ ବାହୁ ଯୁଗଳରୁ ଫେରାର।
>
ଆମେ ତ ନାଚାର,
କଣ ଦେଇ ପାରୁଛେ
ନା ଛଡାଇ ପାରୁଛେ।
ଖାଲି ବଢି ଯାଉଛି ଆମରି କାୟା
ବଂଧନରୁ ମୁକ୍ତି ପାଇ
ପୁଣି ମାୟା କବଳରେ
ଥରକୁ ଥର।
ନୂଆବର୍ଷର ଅପେକ୍ଷାରେ ଥାଏ ବା କଣ
କଣ ମୋକ୍ଷ ନା ସ୍ୱର୍ଗପ୍ରାପ୍ତି,
ନା ମୃତ୍ୟୁ ଆଡକୁ ପଥ ତିଆରିବାର
ଅଶ୍ଲେଷ ପ୍ରଚେଷ୍ଠା ।
ପଞ୍ଚଭୂତରୁ ପଞ୍ଚମାୟା,
ପଞ୍ଚମାୟାରୁ ପଞ୍ଚଭୂତ କୁ
ହିଁ ତ ଯାତ୍ରା ।
ହଁ ଏମିତି ବି ହୋଇପାରେ
ପ୍ରତି ପଦରେ ଚକ୍ର ହିଁ ଆମର,
କିଛି ଘଟଣା ବା ଦୁର୍ଘଟଣାକୁ ଅବୋରିନେବା,
ହସିବା କାନ୍ଦିବା ପୁଣି ଭୁଲିଯିବା,
କିଛି କ୍ଷଣ ମସଗୁଲ ହେବା ।