ନଟିଆ ଅଜା
ନଟିଆ ଅଜା


ଆମଘର ପାଖ ନଟିଆ ଅଜା
ଚଣ୍ଡୀ ମନ୍ଦିରରେ କରନ୍ତି ପୂଜା
ସିନ୍ଦୂର,ଚନ୍ଦନ ତିଳକରେ ସଦା
ହୋଇଥାଏ ତାଙ୍କ କପାଳ ସଜା ,,,,
ଆମଘର ପାଖ ନଟିଆ ଅଜା ।।
ଝୁପୁରୁ ଝୁପୁର ମୁଣ୍ଡର କେଶ
ଦେହରେ ତାଙ୍କର ଗେରୁଆ ବାସ
ପାନଖିଆ ଓଠ ରଙ୍ଗେ ରଙ୍ଗଣିଆଁ
ହାତେ ଭୋଗଥାଳି, ନାଲିଆ ଧ୍ଵଜା ,,,,
ଆମଘର ପାଖ ନଟିଆ ଅଜା ।।
ଯାତ୍ରା ,ସଂକୀର୍ତ୍ତନ, ଦାଶକାଠିଆ
ସବୁସ୍ଥାନରେ ସେ ଆଗରେ ଠିଆ
ଅଣ୍ଟାରେ ଗୁଡେ଼ଇ ଗାମୁଛା ଖଣ୍ଡକ
କି ସୁନ୍ଦର ତାଙ୍କ ମୃଦଙ୍ଗ ବଜା ,,,,
ଆମଘର ପାଖ ନଟିଆ ଅଜା ।।
ସବୁ କ୍ଷେତ୍ରେ ତାଙ୍
କ ଅଛି ଦଖଲ
ସମସ୍ତଙ୍କୁ କରିଦ୍ୟନ୍ତି ନକଲ
ଖେଳ,ଗୀତ,ନାଚ ସବୁରେ ଓସ୍ତାଦ
ଦଣ୍ଡ ପାଇଁ ଆଗେ ହୁଅନ୍ତି ଖୋଜା ,,,,
ଆମଘର ପାଖ ନଟିଆ ଅଜା,,,
ମଣ୍ଡପ ତଳେ ସେ ବିକନ୍ତି ଭୁଜା
ମଣ୍ଡପ ଉପରେ ସାଜନ୍ତି ରାଜା
ମୁଣ୍ଡ ଝାରି ଝାରି ତରବାରୀ ଯୁଦ୍ଧ
ହସଟି ଲାଗଇ ସବୁଠୁ ମଜା ,,,,
ଆମଘର ପାଖ ନଟିଆ ଅଜା ।।
କୁନା କୁନି ତାଙ୍କ ମୁଣ୍ଡର ଫୁଲ
ହସେଇ ରସେଇ କରନ୍ତି ଗେଲ
ଗପ,ଗୀତ କହି ମନ ମୋହି ମୋହି
କିଣି ଦେଇଥାନ୍ତି ନଡ଼ିଆ ଖଜା ,,,,
ଆମଘର ପାଖ ନଟିଆ ଅଜା ,,,,