ନନା
ନନା
ମୋ ଜନ୍ମ ସମୟରେ ହିଁ
ତୁମେ ଦେଇଥିଲ ତୁମ ପରିଚୟର
ପ୍ରଥମ ଉପହାର
ପିତୃତ୍ବର ଅସୀମ ଆନନ୍ଦରେ
ହୋଇଉଠିଥିଲ ଆତ୍ମବିଭୋର
ସେବେଠାରୁ ଆଜି ପର୍ଯ୍ୟନ୍ତ
ମାଗିବାକୁ ପଡ଼ିନାହିଁ କିଛି
ଅଯାଚିତ ଭାବେ ଦେଇଚାଲିଛ ତୁମେ
ଅମାପ ସୁଖର ଭଣ୍ଡାର
ଅନୁଶାସନର ଡ଼ୋରୀ ବାନ୍ଧି
ଜୀବନକୁ କରିଛ ଶୃଙ୍ଖଳିତ
ସଂସ୍କାର ଓ ସମ୍ପର୍କର ମହନୀୟତାରେ
ଜୀବନକୁ କରିଛ ଜୀବନ୍ତ
ହାତ ଧରି ଚାଲି ଶିଖେଇବା ଠାରୁ
ନୂଆ କରି ସାଇକେଲ୍ ଚଲେଇବା ପର୍ଯ୍ୟନ୍ତ,
ପାଖେ ପାଖେ ଜଗି ରହିଛ ତୁମେ ;
ଆଖିରେ ସ୍ଵପ୍ନର ଅଞ୍ଜନ ବୋଳି ,
ସମାଜ ଆଗରେ ସ୍ଵାଭିମାନର ସହ
ଠିଆ କରେଇଛ ତୁମେ
ମୋର ସବୁ ଭୁଲ୍ କୁ ନିଜର କରି
ପାଲଟିଛ କ୍ଷମାର ସାଗର
ମୋ ଅଳିକ ସୁଖ କାମନାରେ
ନୀରବରେ ସହିଯାଇଛ
ଅପମାନର ଅସହ୍ୟ ଜହର
ମୋତେ ଦୁଃଖରେ ଦେଖି
ନୀରବରେ କେତେ କାନ୍ଦିଛ ତୁମେ
ମୋତେ ବୁଝାଇବାକୁ ଯାଇ
ନିଜକୁ କେତେ ବୁଝାଇଚାଲିଛ ତୁମେ
ତଥାପି ମୁଁ ବୁଝିପାରିନି
ତୁମ ପିତୃତ୍ବର ତ୍ୟାଗ
ଅକୁହା ଅଦେଖା ଯନ୍ତ୍ରଣା ସବୁକୁ
ତୁମ ମିଛ ହସ ଭିତରେ
ଲୁଚି ରହିଥିବା ପରିପକ୍ଵ ଅଭିନୟକୁ
ଜୀବନରେ ଯେତେ ଆଗକୁ
ପାଦ ବଢାଉଛି
ମନ କହୁଛି ପୁଣି ଥରେ ଫେରିଯିବାକୁ
ସେ ଅତୀତକୁ , ମୋ ପିଲାଦିନକୁ
ପୁଣି ଥରେ ତୁମରି କୋଳକୁ
ତୁମ ବିଶାଳ ବ୍ୟକ୍ତିତ୍ଵ ଆଗରେ
ସମର୍ପିବାକୁ ଆଜି କିଛି ନାହିଁ ମୋ ପାଖେ
କିନ୍ତୁ ଏତିକି ତ କହିବି ନିଶ୍ଚୟ ;
ଯେତେ ଦୂରେ ରହିଲେ ବି
ମୋ ସହ ଆଜନ୍ମ ରହିବ
ତୁମ ପିତୃତ୍ବର ଅମ୍ଳାନ ପରିଚୟ ,
ତୁମ ପ୍ରେରଣାର ଦିବ୍ୟତାରେ
ଐଶ୍ବର୍ଯ୍ଯା ହୋଇଉଠୁଥିବ ଐଶ୍ବର୍ଯ୍ଯମୟ
