ନିୟୁତ ମୂର୍ଚ୍ଛନା
ନିୟୁତ ମୂର୍ଚ୍ଛନା
କବିତା - ନିୟୁତ ମୁର୍ଚ୍ଛନା
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୦୧-୨୦୨୬
+++++++++++++++++
ଭାରି ଭଲଲାଗେ
ତୁମ ମୁରୁକି ମୁହାଁ ହସ
ସତେ ଯେମିତି
ସୁଗନ୍ଧରାଜ ବାସ ସୁବାସ
ଭାରି ଭଲଲାଗେ
ତୁମ ଢ଼ଳ ଢ଼ଳ ନୟନ ଯୁଗଳ
ସତେ ଯେମିତି
ସଦ୍ୟ ପ୍ରସ୍ଫୁଟିତ କମଳ ଶତଦଳ
ଭାରି ଭଲଲାଗେ
ତୁମ ଲାଜକୁଳିଆ ଓଠତୁଠ
ସତେ ଯେମିତି
ତାଲିମ୍ବ ଫୁଲରେ ହସୁଛି ସାହିମଠ
ଭାରି ଭଲଲାଗେ
ତୁମ ଗଭା ଗଜରା ହାର
ସତେ ଯେମିତି
ଆଳୁଲାୟିତ କୁନ୍ତଳାରେ ଶୃଙ୍ଗାର ଗାର
ଭାରି ଭଲଲାଗେ
ତୁମ କାନ ଝୁମୁକା ଝରା
ସତେ ଯେମିତି
ସ୍ବର୍ଣ୍ଣ କୁନ୍ତଳ ଛୁଇଁ ଚମକେ ପସରା
ଭାରି ଭଲଲାଗେ
ତୁମ ନାଲି ସିନ୍ଦୁର ବିନ୍ଦୁ
ସତେ ଯେମିତି
କପାଳ ଆକାଶେ ଅବିର ଅର୍ଦ୍ଦେନ୍ଦୁ
ଭାରି ଭଲଲାଗେ
ତୁମ ପାଟଣାଢ଼ୀ ଆବୃତା ଗୋରା ଦେହ
ସତେ ଯେମିତି
ମନ୍ଦିର ଗାତ୍ରରେ ଖୋଦିତ ବିରହ ବିଗ୍ରହ
ଭାରି ଭଲଲାଗେ
ତୁମ ଦେହ ଦେହଳୀ ଛୁଇଁ ଭାବନା
ସତେ ଯେମିତି
ଅସମ୍ଭବ କାମନା ଭୂଇଁରେ ନିୟୁତ ମୂର୍ଚ୍ଛନା
ଭାରି ଭଲଲାଗେ
ତୁମ ରୂପ ଲାବଣ୍ୟ ନେଇ କଳ୍ପନା
ସତେ ଯେମିତି
ଅବାସ୍ତବ ବାସନା ଫୁଲରେ ଅୟୁତ ଅର୍ଚ୍ଚନା

