ନିୟତିର ଖେଳ
ନିୟତିର ଖେଳ
ନିୟତିର ଖେଳ କିଏ ବା ବୁଝିବ
ଅଟେ ସେ କୁହୁକ ଫାଶ
ମାୟା ମୋହେ ଛନ୍ଦି ରଖି ଥାଏ ବାନ୍ଧି
ପିଆଇ ଅଦୃଶ୍ୟ ବିଷ ।
କେତେ ଲୋଭ ଆଶା ହୃଦୟେ ଜମାଇ
ଚଳାଏ ସେ ଦିନ ରାତି
କେବେ ହସ ଭରେ କେବେ ସେ କନ୍ଦାଏ
ଅଗାଧ ଆତୁର ଭୀତି ।
ଜୀବନ ବାଟରେ କଣ୍ଟା ଦ୍ରୁମ କିବା
ଖାଲି ଢିପ ପାତି ଦିଏ
ପରୀକ୍ଷା ନିମନ୍ତେ ଅକାଳ ସ୍ରୋତରେ
ନିମିଷେ ଭସାଇ ନିଏ ।
ଅମା ଅନ୍ଧକାରେ ଜୋଛନା ବିଛାଏ
ଯଦି ସଉଭାଗ୍ୟ ଯୋଗ
ପୂର୍ଣ୍ଣିମା ରାତିରେ କାଳ ଘୋଟି ଆସେ
ସତେ ବିହୀ ପାଇଁ ଭୋଗ ।
ଏନ୍ତୁଡ଼ିଶାଳରୁ ଶ୍ମଶାନ ଭୂଇଁକୁ
ନିୟତି ଦେଖାଏ ରାହା
ବର୍ତ୍ତୀ ପାରନ୍ତିନି ଏ ପଥେ ଈଶ୍ଵର
କେହି ନାହିଁ ଏଠି ସାହା ।
ସମୀରେ ଉଡେନା ଅନଳେ ଜଳେନା
କିବା ତା ମରଣ ହୁଏ
ଅଲକ୍ଷ୍ୟେ ତା ଦେହୀ ସର୍ବତ୍ର ପ୍ରକଟ
ଜୀବ ଚତୃପାର୍ଶେ ଥାଏ ।