ନିଶା
ନିଶା
ଅନେକ ଥର ମୁଁ ହଜିଛି ଓ ହଜାଇଛି
ହାରିଛି ଓ ହରେଇଛି
ସମ୍ପର୍କର ବାୟାବସା ସବୁ
ନିଜ ହାତେ ଅନେକ ଭାଙ୍ଗିଛି
ସେଇ ନିରର୍ଥକ ଅର୍ଥ ପଛେ ଧାଇଁ
ଜୀବନର ଅର୍ଥ ପାଶୋରିଛି।
ସାଉଁଟିଛି ଅପର୍ଯ୍ୟାପ୍ତ କ୍ଳାନ୍ତି
ହଜିଛି ମୋ ନିଦଭରା ରାତି
ସ୍ୱପ୍ନ ସବୁ ଦ୍ବିପ୍ରହରେ ଛିଗୁଲେଇ ହୋଇ
ଭାଙ୍ଗିଛନ୍ତି ହୃଦୟର ଶାନ୍ତି
ତଥାପି ସେ ଅର୍ଥର ନିଶାରେ
ଭୁଲିଛି ମୁଁ ଭାବଭରା ଗାଢ଼ ଅନୁରକ୍ତି।
ବହୁବାର ଆକାଶର ନୀଳସ୍ୱପ୍ନ ଦେଖି
ଭୁଲିଛି ମୁଁ ଧୂସର ପଣତ
ବାଟଭାଙ୍ଗି ଯାଇଛି ମୁଁ ଅଣଦେଖା କରି
ଅନେକ ବିକଳ ମୁହୂର୍ତ୍ତ
ଅର୍ଥର ଲାଳସା ଚିତ୍ତେ ଘାରିଛି ଏମିତି
ଏକ ଅନିଶ୍ଚିତ ଆକାଂକ୍ଷାର ଦିଗନ୍ତ ନିଶାରେ
ଭୁଲିଯାଇଛି ବର୍ତ୍ତମାନର ଆବେଗଭରା ଗୀତ।
ସେ ଯାତ୍ରାରେ ମୁଁ ସଦା ନିଜକୁ ନିଜେ
ଏକା ହିଁ ପାଇଛି ଯାଯାବର ପରି
ଲଟେରୀର ଲଟେଇରେ କେତେଥର
କଟିଛି ଯେ ହାତ
ତଥାପି ସେ ରୁଧିରକୁ ବେଖାତିର କରି
ମୁଁ ଧାଇଁ ଚାଲିଛି ଏକ ସୁବର୍ଣ ପଞ୍ଜୁରୀ ଆଡେ଼।
