ନିର୍ମାଣ
ନିର୍ମାଣ
ଆତ୍ମବିଶ୍ବାସର ମୂଳଦୁଆ ଦେଇ
ଆରମ୍ଭ କରିଲି
ପ୍ରାଣପ୍ରିୟ ସ୍ଵପ୍ନପୂର୍ତ୍ତୀ ନିମନ୍ତେ କାର୍ଯ୍ୟ ,
ରାତି ରାତି ରହିଲି ଉଜାଗର ,
ଇପ୍ସିତ ଫଳ ପ୍ରାପ୍ତିର ଲକ୍ଷ୍ୟ ନେଇ
ରଖିଚାଲିଲି ;
ଗୋଟିଏ ପରେ ଗୋଟିଏ ସମର୍ପଣର ଇଟା ।
ସେ ଇଟାକୁ ପରସ୍ପର ସହ
ବାନ୍ଧି ରଖିବା ପାଇଁ ,
ମଝିରେ ଦେଲି ମୋ ପରିଶ୍ରମ ରୂପୀ,
ସୁଦୃଢ ସିମେଣ୍ଟ ,
ବଳିଷ୍ଠ ବିଶ୍ଵାସର ସୁପରିଚାଳନାରେ
ଗୋଳି ହେବାକୁ ଲାଗିଲେ,
ଯେତେ ସବୁ ନକାରାତ୍ମକ ବାଲି-ଗୋଡି ।
ପରସ୍ପର ସହ ଘଷି ମାଜି ହୋଇ
ଗୋଳା ଗୋଳି ହୋଇ,
ଗଢିଦେଲେ ସମ୍ଭାବନାର ସୁଦୀର୍ଘ ପ୍ରାଚୀର,
ଚାଲିଥିଲା ନିର୍ମାଣ
ଏକ ନୂଆ ଭବିଷ୍ୟର ,
ଏକ ନୂଆ ଜୀବନର ,
ଅଧାଗଢା ପ୍ରାଚୀର ଉପରେ
ସିଞ୍ଚା ହେଉଥିଲା ପରିଶ୍ରମ ରୂପୀ
ସ୍ଵେଦ- ଶୋଣିତର ଛିଟା ।
ସେ ମଝିରେ ବି ଆସୁଥିଲା ବତାସ
ଧୋଇ ହୋଇଯାଉଥିଲେ
ନବ ଅଙ୍କୁରିତ ଆଶାର ବୀଜ ମଞ୍ଜିଗୁଡ଼ିକ,
ତଥାପି
ଅନୁଶୋଚନା ନ ଥିଲା ତାଙ୍କର ।
ଯେତେ ଯେତେ
ଦିନ ଗଡ଼ି ଗଡ଼ି ଯାଉଥିଲା,
ମନ ଭିତରର ସ୍ଵପ୍ନ ସବୁ ମଧ୍ୟ
ଶକ୍ତ ହୋଇ ହୋଇ ଚାଲିଥିଲେ,
ସେମାନେ ନିଜ ଭିତରେ
ବାନ୍ଧୁଥିଲେ ମେଳି ,
ପ୍ରସ୍ତୁତ ହେଉଥିଲେ ଏକ ବିଶାଳ
ଆତ୍ମ-ସଂଗ୍ରାମ ନିମନ୍ତେ ,
ଜୀବନ ରଣାଙ୍ଗନରେ ନିର୍ବାହ କରୁଥିଲେ
ଶ୍ରୀକୃଷ୍ଣଙ୍କ ଭୂମିକା ।
ସମସ୍ତଙ୍କ ଆପ୍ରାଣ ଉଦ୍ୟମରେ
ଚାଲିଥିଲା ଏକ ନବ ନିର୍ମାଣ
ବର୍ତ୍ତମାନରୁ ଭବିଷ୍ୟ ଆଡ଼କୁ,
ଅନ୍ଧାରରୁ ଆଲୋକ ଆଡ଼କୁ,
ସର୍ବୋପରି;
ମୃତ୍ୟୁରୁ ମୋକ୍ଷ ଆଡ଼କୁ ।