ନିର୍ଜନ ପଥେ
ନିର୍ଜନ ପଥେ
ନିର୍ଜନପଥର ବାଟୋଇ ଆଜି ମୁଁ
ଲକ୍ଷ୍ୟ ମୋର ଦିଗହୀନ,
ଆପଣା ଛାଇକୁ ସାଥିକରି ମୁହିଁ
ଚାଲୁଅଛି ନିଶି ଦିନ ।
ପଥ ପଡିଅଛି ଆଗକୁ ଆଗକୁ
ନିର୍ଜନତା ଡରାଉଛି,
ସବୁଜ ଶ୍ୟାମଳା କ୍ଷେତ ବନମାଳା
ମନେ ସାହସ ଦେଉଛି ।
ମେଘ ମାଳ ମାଳ ହୋଇ ଏକ ମେଳ
ଭାସି ଆଗକୁ ବଢନ୍ତି,
ଦୂର ଦିଗ୍-ବଳୟେ ଗିରିରାଜ ଶୋଭା
ଜଗାଏ ମନେ ପ୍ରଶାନ୍ତି ।
କୋହଲା ପବନ ବହି ଆସି ଥିରି
ଦେହେ ଶିହରଣ ଆଣେ,
ନିଶବ୍ଦ ଇଲାକା ଶୂନଶାନ୍ ଲାଗେ
ନିଜ ପାଦଶବ୍ଦ ଶୁଣେ ।
ଭାବୁଥାଏ ମୁହିଁ କେହି ଯଦି ଆସି
ମୋ ହାତ ଧରି ନିଅନ୍ତା,
ଆଗକୁ ବଢ଼ିବା ଏକାକୀତ୍ଵ କଷ୍ଟ
କବଳୁ ମୁକ୍ତି ମିଳନ୍ତା ।
ଆଗକୁ ପଡିଛି ଅଙ୍କାବଙ୍କା ରାସ୍ତା
ଜଣାନାହିଁ ସୀମା କେତେ,
ଚାଲିଥିବି ମୁହିଁ ଥକି ପଡିବିନି
ଇଛା ଦୃଢ଼କରି ଚିତ୍ତେ ।
ନିର୍ଜନତା ଆଜି ଭୂଲେଇ ଦେଇଛି
ମୋ ପ୍ରେମ ବିରହ କଥା,
ପାଶୋରି ଦେଇଛି ପ୍ରିୟପରିଜନେ
ସାଙ୍ଗସାଥି ମେଳ ଚିନ୍ତା ।
ଶାନ୍ତ କାନ୍ତ ପଥ କମନୀୟ ରୂପ
ସାଜିଛି ଆଜି ମୋ ଗୁରୁ,
ଏକା ଆସିଥିଲି ଏକା ଚାଲିଯିବି
ଶିଖିଅଛି ତାହା ଠାରୁ ।
ଏକା ବ୍ରହ୍ମ ସେହି ନିତ୍ୟ ନିରାକାର
ନିର୍ଜନେ ତାଙ୍କ ନିବାସ,
ମାୟା ବନ୍ଧନକୁ ତୁଟାଇ ପାରିଲେ
ତାଙ୍କ ସଙ୍ଗେ ହେବ ରାସ ।
