ନିର୍ବାଣ
ନିର୍ବାଣ
ଥରେ ଫେରିଆସ ବୁଦ୍ଧ
ଦେଖିଯାଅ ଏ ମଣିଷ
କେମିତି ଧାବମାନ ।
କାମନାର ଫରୁଆରେ
ନିଜକୁ ବାନ୍ଧି
ନିର୍ବାଣର ପଥ ଖୋଜି
ହେଉଛି ଧନ୍ଦି ।
ପ୍ରତି ମୁହୂର୍ତ୍ତରେ ତାର ମନ
ଧାଇଁଯାଏ ପିପାସାର ସରହଦ ଡେଇଁ ।
ନହେଲେ ସେ ହାରିଯିବ
ଯୁଝୁ ଯୁଝୁ ବଞ୍ଚିବାର ପାଇଁ ।
ସକାଳ ଆରମ୍ଭ ହେଲେ
ସଂଗ୍ରାମ ଆରମ୍ଭ ହୁଏ ।
କାମନାର ବିନାଶର ମନ୍ତ୍ର ତୁମ ଶୁଣି ମଧ୍ୟ
କାମନାର ଅନଳକୁ
ଡେଇଁବାକୁ ହୁଏ।
ସେଥିରେ ଆନନ୍ଦ ମୋର ।
କାହିଁକି ନା ମୋ ଆଗରେ
କର୍ତ୍ତବ୍ୟର ବିସ୍ତୀର୍ଣ୍ଣ ପ୍ରାନ୍ତର।
ମୋତେ ଏଠି ପଢିବାକୁ ହେବ ।
ଆଗକୁ ବି ଚଳିବାକୁ ହେବ।
ଆସୁପଛେ ଯେତେ ବାଧା
ହିଂସା ଘୃଣା ଚକ୍ରାନ୍ତର ଜୀବନ୍ତ ଦାନବ ।
ତୁମେ ଗଲାପରେ
ବୋଦ୍ଧି ଦ୍ରୁମ
ଭୁଲିଅଛି ନିର୍ବାଣର ମନ୍ତ୍ର।
ସେ ବି ବଞ୍ଚିବ ତା ଉପରେ ଭରସି
ଭସାବାନ୍ଧି ବଞ୍ଚୁଥିବା ବିହଂଗଙ୍କ ପାଇଁ ।
ତୁମ ବାର୍ତ୍ତା ପ୍ରଚାରିବା ପାଇଁ
କାହା ପାଖେ ସମୟ ବି ନାହିଁ ।
ତୁମ ମନ୍ତ୍ର ଘୋଷି ଘୋଷି
କାମନାର ନାଗଫାଶେ ବାନ୍ଧିହୋଇ।
ନିର୍ବାଣ ଲଭିବାକୁ ହେବ
କର୍ତ୍ତବ୍ୟର ଆହ୍ୱାନକୁ
ମଥାପାତି ନେଇ।
କର୍ମଂ ସରଣଂ ଗଚ୍ଛାମିର ନୂଆ ତତ୍ତ୍ଵ ଦେଇ ।