ନିରବ ବନାମ୍ ନୀରବତା
ନିରବ ବନାମ୍ ନୀରବତା
ନିରବ ଶବ୍ଦଟି ଯେତିକି ମଧୁର
ମୁହୂର୍ତ୍ତକ ସମୟର ,
ନୀରବତା ମଧ୍ୟ ସେତେ ଗୁଢ଼ ତତ୍ତ୍ଵ
ସତ୍ୟ ଆଉ ବିଶ୍ଵାସର ।
ଭାରି ଭଲଲାଗେ ଝର୍କା ପାଖେ ବସି
ଆଖିମୁଦି ସପନରେ ,
ସ୍ମୃତିର ଫଳକ ଜୀବନର ରଙ୍ଗ
ନିରବରେ ଦେଖିବାରେ ।
ସବୁ ସମସ୍ୟାର ସମାଧାନ ସୂତ୍ର
ଖାସ୍ ସମସ୍ତଙ୍କ ପାଇଁ ,
ନିରବ ରହିବା ନୁହଁଇ ବିଚିତ୍ର
ବାହାଦୂରୀ କାହାପାଇଁ ।
ଶୂନ୍ୟ ହୃଦୟକୁ ପୂର୍ଣ୍ଣତାରେ ଭରି
ନୀରବତା ଶାନ୍ତି ଆଣେ ,
ଅନେକ ଆଶାର ଆଲୋକ ସଞ୍ଚାରି
ନିଦ ଭରେ ଆଖିକୋଣେ ।
ନିରବର ଅଶ୍ରୁ ନିର୍ଗତ ହୋଇଲେ
ଉଶ୍ୱାସ ଲଭଇ ହୃଦ ,
ଧୋଇ ହୋଇଯାଏ କ୍ଷତ ଆଖିଜଳେ
ଚଖାଇ ଜୀବନ ସ୍ଵାଦ ।
ବଞ୍ଚିବାଟା ବାଧ୍ୟ ଅନିତ୍ୟ ସଂସାରେ
ଯେତେ ଦୁଃଖ , କ୍ଳେଶ ସହି ,
ନିରବର ନଦୀ ଅବଗାହନରେ
ସାଂସାରିକ ଅବଗାହୀ ।
ନୀରବତା ପୂର୍ଣ୍ଣ ଦୁଇ ଟୋପା ଲୁହ
ନାରୀ ଅବା ପୁରୁଷର ,
ଜଣା ପଡ଼େନାହିଁ ଅକୁହା ଯନ୍ତ୍ରଣା
ପ୍ରତିଶ୍ରୁତି ବା ' ପ୍ରତାରଣାର ।
ନୀରବତା ଏକ ଏପରି ଶବ୍ଦଟେ
ରାଜା ହେଉ ଅବା ରଙ୍କ ,
ବିଳ୍ପବର କିଛି ଅକୁହା ଶବ୍ଦକୁ
ଆଖି ତଳେ ଦିଏ ଛୁଙ୍କ ।
ଆପଣାର ପାଖେ ଆପଣାର ହୋଇ
ଏ'ତ ଚୁପି ରହିଯାଏ ,
ପର ପାଇଁ ଏହି ଆଖି ଲୁହ ପିଇ
ବଡ଼ ପଣେ ସହିଯାଏ ।
ବିଧିର ବିଧାନ ଏନ୍ତୁଡ଼ି ଶାଳର
କୁଆଁ ରାବ ଠାରୁ ନେଇ ,
ଏ ମଣିଷ ଦିନେ ଶ୍ମଶାନ ଜୁଇରେ
ନିରବରେ ଯାଏ ଶୋଇ ।