ନିରାଟ ସତ୍ୟ
ନିରାଟ ସତ୍ୟ
କାହିଁକି ବ୍ୟାକୁଳ ହେଉଛୁ ଜନନୀ
ଭୂମିପରେ ଲୋଟି ଲୋଟି
ଚାଲିଗଲା ବୋଲି କୁମରମଣି ତୋ
କାନ୍ଦୁଅଛୁ ମଥାପିଟି ।
ବିଧିର ବିଧାନ ଜନମ ମରଣ
ସଂସାରେ ଆମର ସ୍ଥିତି
ପାଣି ଫୋଟୋକାର ଆୟୁଷ ଜୀବନ
କାଳର ନିଷ୍ଠୁର ନୀତି ।
ଉଦରେ ଭରିଲୁ ଦଶମାସ ତୁହି
ଦୁନିଆ ଦେଖିଲା ସୁତ
ହସି ହସାଇଲା କାନ୍ଦି କନ୍ଦାଇଲା
ମାୟାରେ ହଜାଇ ନିତ୍ୟ ।
ଈଶ୍ୱର ନିର୍ଦ୍ଦେଶେ କଳାକାର ସାଜି
କରିଗଲା ଅଭିନୟ
ସମ୍ପର୍କ ଡୋରରେ ବାନ୍ଧିଲା ସଭିଙ୍କୁ
ଗଢିଥିଲା ପରିଚୟ ।
ପୁରିଗଲା କାଳ ସରିଗଲା ଖେଳ
ଫେରିଗଲା ଗଣ୍ଠିଧନ
ଆଉ କି ଫେରିବ ଝୁରିହେବୁ ଯେତେ
ଭାଗ୍ୟଲେଖା କରି ଆନ ।
କେହି ରହିନାହିଁ ରହିବେ ନାହିଁଟି
ଭବରଙ୍ଗ ଭୂମି ତଳେ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡିବେ କାଳବଳେ ।
ଜୀବନର ଏଇ ନିରାଟ ସତ୍ୟକୁ
ବୁଝିନେବୁ ଯେଉଁ ଦିନ
ମନର ବେଦନା ଅପସରି ଯିବ
ପ୍ରଶାନ୍ତି ଲଭିବ ପ୍ରାଣ ।