ନିଜ ମୃତ୍ୟୁ କଥା
ନିଜ ମୃତ୍ୟୁ କଥା
ଆୟୁ ... କ'ଣ ପ୍ରାଣ ବାୟୁ
ଯେତେ ଯାଏଁ ଅଛି ଏ ଶରୀରେ ,
ସରିଯାଏ କାରାବାସ ଅବା
ମିଶିଗଲେ ଏ ଭବ ମହୀରେ ।
ବିଧାତାର ବିଧାନ ଅଟଇ
ଜନ୍ମ ସହ ମୃତ୍ୟୁ ସହଚର ,
ଶେଫାଳୀ ବି ଫୁଟି ଝଡେ
ଅନୁଭବି ସ୍ପର୍ଶ ରଜନୀର ।
କାହିଁକି ଆଶଙ୍କା ଅଙ୍କ କଷା
ଏତେ ରଖି ମୃତ୍ୟୁର ମହତ୍ତ୍ଵ ,
କୋଷେ ଦୂରୁ ତରାଟି ଅନାଏ
ମୋହେ କିବା ଜୀବନର ତତ୍ତ୍ଵ ।
ଅତୃପ୍ତ ବାସନା ପୂଣ୍ୟ ତୃଷ୍ଣା
ମରଣର ସ୍ଵପ୍ନ ବିଛଣାରେ ,
ମଲା ସ୍ଵପ୍ନ କଙ୍କାଳ ହାଡରେ
ପ୍ରାଣ ଭରିଯାଏ ଶୋକାତୁରେ ।
କରିବି କରିବି ବୋଲି ଚିନ୍ତି
କାଳ ନଦୀ କ୍ଷୀପ୍ର ଲହରୀରେ ,
ଉଲ୍ଲସିତ ହେଉଥିଲା ମନ
ଆଳସ୍ୟକୁ ଭରି ଶରୀରରେ ।
ହେଉଥିବା ପ୍ରଧ୍ଵନିତ ଆଶା
ମାପି କରି ସ୍ୱାର୍ଥ ନିକିତିରେ ,
ଧ୍ଵଂସ ଅବକ୍ଷୟ ଏ ଆଦର୍ଶ
ଭୟଙ୍କର କାମନା ମୋହରେ ।
ଆପଣାର ରୁଚିବୋଧ
ଦୁର୍ବୋଧ ଜଟିଳ ଜୀବନେ ,
ସୁକର୍ମର ଫୁଲ ଶଯ୍ୟାପରେ
ଚିର ବିଶ୍ରାମ ଭବନ୍ତି ଶ୍ମଶାନେ ।