ଜୀବନ ଗଣିତ
ଜୀବନ ଗଣିତ
ବଡ଼ ଅବୁଝା ଏ ଜୀବନ ଗଣିତ
ବୁଝିପାରେ ନାହିଁ ମୁହିଁ
ଜୀଉଁଅଛି ନିତି ସମାଜ ଦାଣ୍ଡରେ
ନୂଆ ନୂଆ ଆଶା ନେଇ ।
ସ୍ୱାର୍ଥ,ମୋହମାୟା ଆପଣାର କରି
ଦେଖୁଅଛି ମିଠା ସ୍ୱପ୍ନ
ଜାଣିଛି ଜୀବନ କ୍ଷଣସ୍ଥାୟୀ ବୋଲି
ମରଣରେ ହେବ ଲୀନ ।
ଖାଦ୍ୟ,ବସ୍ତ୍ର ଅବା ବାସଗୃହ ମୋର
ଉନ୍ନତମାନର ଲୋଡ଼ା
ନ ମିଳିଲେ କାହିଁ ଅବଶୋଷ ମନେ
କପାଳ ମୋହର ପୋଡା ।
ଘର ପରିବାର ଆତ୍ମୀୟ ସୋଦର
କରିଛନ୍ତି ଯାହା ତ୍ୟାଗ
ସ୍ନେହପ୍ରେମ ଦାନ କରି ସୁଝିବାକୁ
ହେଉନାହିଁ ମୁହିଁ ଯୋଗ୍ୟ ।
ମିଥ୍ୟା ଆବରଣ ଆଚ୍ଛାଦିତ ହୋଇ
ପ୍ରଭୁ ପାଶେ କରେ ଅଳି
ହୋଇ ହସ ହସ ପ୍ରଭୁ କୃପାଶିଷ
ମୋ'ଉପରେ ଦିଅ ଢାଳି ।
ଆଶା ପୂର୍ଣ୍ଣ ହେଲେ ଖୁସିରେ ମୁଁ ନାଚେ
ଦୁଃଖେ ହୁଏ ହତୋତ୍ସାହ
ଜୀବନ ଜଞ୍ଜାଳ ଲାଗେ ବିଷଫଳ
ଜିତିଯାଏ ଅନ୍ତର୍ଦ୍ୱନ୍ଦ୍ୱ ।
ଜନ୍ମ ବେଳେ କିଛି ଆଣିନି ସାଥିରେ
ନେବିନାହିଁ ମଲାବେଳେ
ତଥାପି କାହିଁକି ହୃଦୟ ଭିତରେ
ଅସୁମାରୀ ଆଶା ଖେଳେ ।
ବୁଝିଯାଏ କେବେ ଜୀବନର ସୂତ୍ର
କେବେ ପୁଣି ଲାଗେ କଷ୍ଟ
କେବେ ଜୀବନଟା ଅମୃତ ସମାନ
କେବେ ହୋଇଯାଏ ନଷ୍ଟ ।
