ନାରୀ ଦିବସ
ନାରୀ ଦିବସ
କେବଳ ଦିବସ ପାଳନ କଲେ ହେଁ
ମହିଳା ପାଇବେ ସମ୍ମାନ
ଏକଥା ନୁହଁଇ ଶତ ପ୍ରମାଣିତ
ଅଟେ ତ ଖାଲି ପ୍ରହସନ ॥
ତଥାପି ଆମେ ବି ପାଳିବା ଦିବସ
ବାରମାସେ ଖୁସି ମନେ
କର୍ତ୍ତବ୍ୟ ଓ ସଂପର୍କ ବୁଝାଇଦେବା
ସବୁ ବାସିନ୍ଦାଙ୍କ କାନେ ॥
ନାରୀଙ୍କ ବିନା ପୁରୁଷର ଅସ୍ତିତ୍ବ
ସମାଜରେ ନୁହଁ ସମ୍ଭବ
ଅବା ପୁରୁଷଙ୍କ ବିନା ନାରୀ ସତ୍ତା
ଅଟଇ ସଦା ଅସମ୍ଭବ ।
ଗୋଟିଏ ମୁଦ୍ରାଟିର ଦୁଇଟି ପାର୍ଶ୍ବ
ଅଟନ୍ତି ପୁରୁଷ ଆଉ ନାରୀ
ଦୁହେଁ ଯଦିଓ ଆମେ ସମାନ ଅଟୁ
କିଏ ହେବାନି କାହା ବଇରୀ ॥
ଦିବସକୁ ସମ୍ମାନ ଦେବାକୁ ଆମେ
କରୁ ନାନା ଆୟୋଜନ
ନାରୀ ସମ୍ମାନ ରେ ଜଗତର ମାନ
ବଢୁଥାଉ ପ୍ରତିଦିନ ॥
ଆଜିଦିନ ନୁହଁ ମହିଳା ଦିବସ
ହେଉ ନିତି ପ୍ରତିଦିନ
ମାଆ ,ଭଉଣୀ, ଝିଅ ଜମା ନ ଡର
ଜାଗ ନ ରହି ମଉନ ॥
r>
କଣ୍ଟାକୁ କଣ୍ଟାରେ ବାହାର କରହେ
ଖାତିର କେବେ ନ କର
ତୁମେ ବଞ୍ଚିଥିଲେ ଦୁନିଆ ହସିବ
ଜାଣୁ ଆମ ଏ ସଂସାର ॥
ପଡି ରହ ନାହିଁ ମାଡଗାଳି ଖାଇ
ଲୁଚି ତୋ ଘର କୋଣରେ
ବାଡିର ଉତ୍ତର ଲୁହାରେ ଦେଇଯା
କାଳୀମାଆ ର ରୂପରେ ॥
କୁତ୍ସିତ ଭାବର ପୁରୁଷଙ୍କୁ ଆଉ
ଘୋଡାନି ତୋ ପଣତରେ
ଶିଖାଇଦେ ନାରୀ କେତେ ଶକ୍ତିଶାଳୀ
ଏଥର ହେଳା ନ କରେ ॥
ପୁଅର ମାଆ ଶୁଣେ ମନକାନ ଦେଇ
ଶିଖା ତାକୁ ଘରକରଣା
ପୁଅଝିଅ ଭେଦ ଘରେ ହିଁ ତ ଜନମେ
ସେ ସବୁ ତୁ ଆଉ ସହନା ॥
ପାହାନ୍ତି ନ ହେଉଣୁ ଝିଅ ଉଠୁଅଛି
ପୁଅକୁ ବି ଉଠା ଏଥର
ଦୁହିଁଙ୍କୁ ଶିଖାତୁହି ତୋଠାରୁ ଦାୟୀତ୍ବ
ବିଳମ୍ବ ତୁ ନ ଆଉ କର ॥
ମଣିଷ ଲେଖିଛି ପୁରୁଷ ରାଜୁତି
ତାକୁ ତୁ ବଦଳାଇଦେ
ତୋ ହାତଦୁଇ ଲେଖୁ ଦୁହେଁ ସମାନ
ଦୁନିଆ ହଲାଇ ଦେ ॥