ନିଜ ଘର
ନିଜ ଘର
ଘର ଛାଡ଼ି କେବେ ଚାଲି ଆସିଥିଲି ମନେ ନାହିଁ,
ସଂସାର ମେଳାରେ ବାଟ ଭୁଲି ଘର ଖୋଜୁଥାଇ
ଏ କୋଠା ଘରକୁ ନିଜ ଘର ବୋଲି ଭାବୁଥାଏ,
ନିଜ ଘର ନିଜ ଠିକଣା ଆଜି ମୁଁ ଭୁଲିଥାଏ
ଏ ଘରେ ଥାଇ ମୁଁ କେତେ ଆସବାବ ସଜାଡ଼ିଛି,
ସେ ଘରକୁ ଶେଷେ ଯିବାକୁ ପଡ଼ିବ ଭୁଲିଅଛି
ଏ ଘର ବିଛଣା କେତେ ସପନର ଅଟେ ସାକ୍ଷୀ,
ସପନେ ସପନେ ଜୀଵନ ବି ଦିନେ ଯିବ ଥକି
ଥକାମନ କଥା ମାନି ମୋହ ତେଜ ଏ ଘରର ,
ନିଜ ସେ ଘରକୁ ଯିବା ଲାଗି ହୁଅ ଆଗଭର
ଏ ପାରିର କର୍ମ କରିବି ମନେ ନ ରଖି ଆଶା,
ସମୟ ଆସିଲେ ଚାଲିଯିବି ମୋର ନିଜ ବସା
ନିଷ୍କାମ ନିସ୍ୱାର୍ଥ କର୍ମ ଏକା ସାହା ଏ ଘରର
ନଚେତ ଫେରିବୁ ପୁଣି ଏ ଘରକୁ ଯାଯାବର
ନିତ୍ୟଲୋକ ମୋର ସଠିକ ଠିକଣା ଯାଗେ ମନେ,
ନିତ୍ୟପୁରୁଷ ନେଇଯିବେ ପାଶେ ଶେଷେ ଜାଣେ
