ନୀତି କଳିକା
ନୀତି କଳିକା
କାମନାଟି ସର୍ବ ଦୁଃଖର କାରଣ
ଲୋଭହିଁ ପାପର ମୂଳ
ଅର୍ଥ ଅଟେ ସବୁ ଅନର୍ଥ କାରଣ
ତା ପଛେ ଧାଇଁବା ଭୁଲ ।
ଅତିରୁ ତ ଇତି ଜାଣିଥା ବିପତ୍ତି
କରି ଆଣେ ନିମନ୍ତ୍ରଣ
ଅତ୍ୟନ୍ତ ଆସକ୍ତି କାହିଁରେ ନହୁଅ
କର ଆତ୍ମ ନିୟନ୍ତ୍ରଣ ।
ବୁଝିଶୁଝି ମାପି ଚୁପି ଚାଲୁଥିଲେ
ପଡ଼ିବ ନାହିଁ ବିପଦ
ଆୟ ଚାହିଁ ବ୍ୟୟ କରୁଥିଲେ ନିଶ୍ଚେ
ଜୀବନଟି ସୁଖପ୍ରଦ ।
ପେଟ କଟା ଦୁଖାର୍ଜିତ ଧନରାଜି
ସୁଖରେ ନ ଆସେ ଲବେ
ରୋଗ ବ୍ୟାଧି ଚୌର ଅଗ୍ନି ଶଠତାରେ
ବିବାଦେ ବିଲୟ ଲଭେ ।
ଦେଖ କେତେ ଦୁଃଖୀ ପେଟୁ କାଟିକୁଟି
ଚିଟଫଣ୍ଡ ଜମାକାରୀ
ଦୁଃଖରେ ସାଉଁଟି ହେଉଛନ୍ତି ନିତି
କପାଳରେ କର ମାରି ।
ଅଧିକ ଲାଭକୁ ଆଶା କରନାହିଁ
ନ୍ୟାଯ୍ୟ ପ୍ରାପ୍ୟେ ରଖ ଲୟ
ଅନ୍ୟକୁ ଠକିଲେ ନିଜେ ଠକି ଯିବ
ଠକ କାହିଁ ପାଏ ଜୟ ।
ପରଶ୍ରୀକାତର ପର ହିଂସାତୁର
ଆପେ ଆପେ ଜଳୁଥାଏ
ନିଜେ ଜଳିଜଳି ଚାରିପାଖ ଶାନ୍ତ
ପରିବେଶକୁ ଜଳାଏ ।
ପରନିନ୍ଦା ପର ଛିଦ୍ର ଗାଇବାଠୁ
ଜଘନ୍ୟ ପାତକ ନାହିଁ
ପର ନାରୀ ପର ବିଭବ ହରଣୁ
ଆୟୁ ଯଶ କ୍ଷୟ ଯାଇ ।
ଗୁରୁ ଗୁରୁଜନେ ଅମର୍ଯ୍ୟାଦା କଲେ
ହୁଅଇ ଗୌରବ ହାନି
ଉପକାରୀ ଉପକାରକୁ ଭୁଲିଲେ
କୃତଘ୍ନରେ ପରିମାଣି ।
ସାର୍ଟିଫିକେଟରେ ଉଚ୍ଚ ଶିକ୍ଷାଧାରୀ
ଯଥାର୍ଥ ଶିକ୍ଷିତ ନୁହେଁ
ଚରିତ୍ରରେ ଆଚରଣେ ଯଦି ଶିକ୍ଷା
ପ୍ରତିପାଦିତ ନହୁଏ ।
ପର ମନ ଯିଏ ଚିହ୍ନିପାରେ ସିଏ
ପ୍ରଭୁପଣକୁ ଭାଜନ
ଅଳପ ଜନରେ ଅଧିକାର ଦେଲେ
ଧରା କରେ ସରା ମନ୍ୟ ।
ଧନ ମାନ ଯଶ ଜ୍ଞାନ ପରିପୂର୍ଣ୍ଣ
ଅଗାଧ ବ୍ୟକ୍ତିତ୍ୱ ଥାଇ
ଅହଂକାର ଵିଷ ମଥାକୁ ଚଢ଼ିଲେ
ସବୁ ଖ୍ୟାତି କ୍ଷୟ ଯାଇ ।
ଜୀଵଵଧ ଅଟେ କରାଳ ପାତକ
ଜୀବେ ଦୟା ପୁଣ୍ୟ ଧର୍ମ
ଜୀଵ ହିଂସା ଜୀଵ ପୀଡା ଯେ ଆଚରେ
ନର୍କ ଭୋଗେ ସେ ଅଧମ ।
ଭୃଣ ହତ୍ୟା ପାପ ସବୁ ପାପଠାରୁ
କୋଟି ଗୁଣେ ଗରୀୟାନ
ନାରୀ ଶିଶୁ ସୁପ୍ତ ଗର୍ଭିଣୀ ଘାତକ
ଆତତାୟୀ ସଇତାନ ।
ପିତାମାତା ଠାରୁ ଦୁର୍ଲଭ ଦେବତା
ସରଗ ରାଇଜେ ନାହିଁ
ପିତୃମାତୃ ଦ୍ରୋହୀ କଳପେ କଳପେ
କୁମ୍ଭୀପାକେ ପଡିଥାଇ ।
ପିତୃଭକ୍ତି ମାତୃଭକ୍ତି ଗୁରୁଭକ୍ତି
ଶକ୍ତିର ନାହିଁ ତୁଳନ
ଏପରି ଭକ୍ତର ଯୁଗ ଯୁଗ ପାଇଁ
ଉଡ଼ଇ କୀର୍ତ୍ତି କେତନ ।
ଅଜାତ ମୃତ ମୂର୍ଖ ଏ ତିନି ମଧ୍ୟୁ
ବରଂ ଆଦ୍ୟ ବେନି ଭଲ
ମୂର୍ଖ ହେଲେ ପୁଅ ଜୀବନ ଦୁଃସହ
ପାଦେ ପାଦେ କଲବଲ ।
ପରସ୍ପର ସ୍ନେହ ପ୍ରୀତି ରହିଥିଲେ
ଘର ବଇକୁଣ୍ଠ ପୁର
ସ୍ୱାର୍ଥ କପଟତା ବିଦ୍ବେଷ ଛଳନା
ସୁଖ ଶିରୀ କରେ ଜୁର ।
ପର ଦୁଃଖ ଦେଖି କାନ୍ଦେ ଯା ଅନ୍ତର
ମହତ ମଣିଷ ସେହି
ପର ପ୍ରପୀଡ଼ନ ଶୋଷଣ କଷଣ
ବ୍ୟକ୍ତି ସିନା କ୍ରୁର ଦେହୀ ।
ନିଜ ପାଇଁ କାମ କରି କିଏ ନାମ
ରଖିଅଛି ମହୀତଳେ
ପରହିତ ରତ ମହାତ୍ମା ସତତ
ବଡ଼ ଏହି ଭୂମଣ୍ଡଳେ |
କ୍ରମଶଃ କ୍ରମଶଃ
