ନୀତି ଦେଖେ ମୁଁ ଝରକା ଫାଙ୍କରେ
ନୀତି ଦେଖେ ମୁଁ ଝରକା ଫାଙ୍କରେ
ନୀତି ଦେଖେ ମୁଁ ଝରକା ଫାଙ୍କରେ ଅଭାବର ଅନ୍ଧକାରରେ ହଜୁଥିବା ଭଵିଷ୍ୟତ ମାନଙ୍କୁ
ଝରକା ଫାଙ୍କରେ ନିତି ଦେଖେ
ବ୍ୟସ୍ତବହୁଳ ଦୁନିଆର ଚିତ୍ର,
ସେପାଖେ ଗତିଶୀଳ ଜୀବନକୁ,
ସାଏଁ ସାଏଁ ଗଡିଯାଏ ନିର୍ଦ୍ଧାରିତ ଲକ୍ଷ୍ୟ ପଥରେ l
ଟିଙ୍ଗ୍ ଟିଙ୍ଗ୍ ବାଜିଉଠେ
ପ୍ରାଥମିକ ବିଦ୍ୟାଳୟର ଘଣ୍ଟା l
ନାଲି ନେଳି ରଙ୍ଗରେ ରଙ୍ଗୀନ୍ ଦିଶେ ରାସ୍ତା,
ଦେଖେ ପଥ ଉପରେ ଖେଳୁଥିବା
କୁନି କୁନି ଭବିଷ୍ୟତ,
ତାଙ୍କ ସରଳ ନିରୀହ ଦୁଷ୍ଟାମୀ l
ଜୀବନର ଅର୍ଥ ସେମାନେ କଣବା ବୁଝନ୍ତି !
ତଥାପି ଏ ସ୍ରୋତରେ ସେମାନେ ଜଣେ ଜଣେ ଧାବକ l
ତାଙ୍କ ଦୁଷ୍ଟାମୀରେ ହଜିଯାଏ କିଛି କ୍ଷଣ,
ସାମିଲ କରି ନିଜକୁ ତାଙ୍କ ହସରେ
ଅଜାଣତେ ଉନ୍ମାଦଙ୍କପରି ମୁଁ ମଧ୍ୟ
ହସିବାକୁ ଲାଗେ l
ଅଳ୍ପ କିଛି ମୁହୂର୍ତ୍ତ ପରେ,
ମ୍ଳାନ ହେଇଯାଏ ହସଟା l
ଭାବନାର ଶୂନ୍ୟ ନୀରବ କୋଠରୀ
ପରିପୂର୍ଣ୍ଣ ହେଇଯାଏ ଅନେକ ଅଛିଣ୍ଡା ପ୍ରଶ୍ନରେ l
ଦେଖେ ଯେବେ ଅନ୍ୟପକ୍ଷରେ ଜୀବନର
ଅନ୍ୟ ଏକ ସ୍ୱରୂପ,
ଭିନ୍ନ ଏକ ଦୃଶ୍ୟ l
ଜୀବନ ପଥରେ ସେମାନେବି
ଜଣେ ଜଣେ କୁନି ଧାବକ l
ରଙ୍ଗୀନ ପୋଷାକ ପରିବର୍ତ୍ତେ
ଧୂସର ପୋଷାକ ପରିହିତ,
ହାଲୁକା ପବନ ଉଡେଇ ନିଏ ତାଙ୍କ ସୁନେଲି ନୁଖୁରା କେଶ l
ନାହିଁ ଭୂକ୍ଷେପ ବିଦ୍ୟାଳୟର ଘଣ୍ଟା ଶବ୍ଦକୁ,
ନା ଅଛି କୌଣସି ବନ୍ଧନ l
ଆବର୍ଜନାର ସ୍ତୁପ ତଳୁ,
କୁନି ହାତ ସାଉଁଟୁଥାଏ ଅସୁମାରୀ ଆଶା l
କୋମଳ କାନ୍ଧରେ ଲଦି ହୋଇଥାଏ
ପରିବାରର ଭାରୀ ବୋଝ,
ନାହିଁ ତାର ବହି ବସ୍ତାନିର ସ୍ୱପ୍ନ l
ଭଙ୍ଗା କାଚ ସାଉଁଟି ସାଉଁଟି
ଭବିଷ୍ୟତବି ଭଙ୍ଗା ବୋତଲପରି ଖଣ୍ଡ ଖଣ୍ଡ l
ଲୁଣ ଲଗା ପଖାଳ କଂସାରେ
ବର୍ତ୍ତମାନକୁ ଖୋଜୁଥିବା
ସେମାନେ ମଧ୍ୟ ଭବିଷ୍ୟତ l
ଏବଂ ନିତି ଦେଖେ ମୁଁ ଝରକା ଫାଙ୍କରେ,
ଅଭାବର ଅନ୍ଧକାରରେ ହଜୁଥିବା
ସେଇ ଭବିଷ୍ୟତମାନଙ୍କୁ l