ନୀରବି ଯାଇଛି ମନର ଝଡ଼
ନୀରବି ଯାଇଛି ମନର ଝଡ଼
ଆଜି ପରିବେଶ ପରିସ୍ଥିତି ଗମ୍ଭୀର
ଶୋକାକୁଳ ସମୂହ ପରିବାର
ଆଖିରେ ଲୁହର ବନ୍ୟା
ଦୁଃସାଧ୍ୟ ରୋଗର ଶୀକାର ହୋଇଛି
କୁଳଚନ୍ଦ୍ରମା ଘରର ଭବିଷ୍ୟତ
ଡାକ୍ତରଖାନା ବିଛଣାରେ ପଡିଛି ସେ
ମୁମୂର୍ଷୁ ଅବସ୍ଥାରେ ପଡି ହେଉଛି ଛଟପଟ
ମଳିନ ନିସ୍ତେଜ ତାର ସର୍ବାଙ୍ଗ
ଚିକିତ୍ସାର ଅବହେଳା ତିଳେ ବି ନାହିଁ
ପାଣି ପରି ଖର୍ଚ୍ଚ ହେଉଛି ଅର୍ଥରାଶି
ତଥାପି ତା ଜୀବନର ନାହିଁ ଟିକିଏ ଆଶା
ଶତ ଉଦ୍ୟମ ରହିଛି ଜାରି
ସମସ୍ତଙ୍କର ଧାଁ ଦଉଡ ଏକ ଭରସାରେ
ହୁଏତ ବଞ୍ଚିଯିବ ହୁଏ ଯଦି କିଛି
ଈଶ୍ବରଙ୍କ ଅଲୌକିକ କରୁଣା
ପିତାମାତା ଆତ୍ମୀୟସ୍ବଜନ ଶୁଭାକାଂକ୍ଷୀ
ହୁଅନ୍ତି କେତେ ବ୍ୟତିବ୍ୟସ୍ତ
ସମସ୍ତେ ନିରୁପାୟ ନିରାଶ ହୋଇ
ଡାକନ୍ତି କେବଳ ପ୍ରଭୁ ପରଂବ୍ରହ୍ମଙ୍କୁ
ମାନସିକତାରେ ଭରି ଭକ୍ତିର ସମର୍ପଣ ଭାବ
ମାଆ ତା କରୁଛି ରୋଦନ
ମନାସି ନାନା ଉପହାର ମାଗୁଛି ଖାଲି
ପୁଅର ଆୟୁଷ ଫେରାଇ ଦିଅ ପ୍ରଭୁ
ମୃତ୍ୟୁଶଯ୍ୟାରେ ପଡି କରେ ଅନୁଶୋଚନା
ବିଗତ ଦିନର ବିଶୃଙ୍ଖଳିତ ଜୀବନ ତାର
ଯୌବନର ଆବେଗତାରେ
ଉଦ୍ଧତପଣେ କରିଛି ଯା ଯା ଅପକର୍ମ
ଅନୁତାପେ ଝରି ପଡୁଛି ଲୁହ ଧାର ଧାର
ମନେ ମନେ ମାଗୁଛି କ୍ଷମା କୃତ କର୍ମର
ନାହିଁ ଆଉ ସେ ଯୁବ ଉଦ୍ଦାମତା
ଧରାକୁ ସରା ମଣିବାର ଧ୍ରୃଷ୍ଟତା କି ଉନ୍ମାଦନା
ତାର କରୁଣ ପରିଣାମ ଭୋଗୀ ଭୋଗୀ
ନୀରବି ଯାଇଛି ମନର ଝଡ଼
ଭୟଙ୍କର ମରଣକୁ ଆଖି ଆଗରେ ଦେଖି
ଜଡ଼ ପାଲଟି ଯାଉଛି ତାର ଅବୟବ
ହାୟରେ ବିଧାତା ! କୃତ କର୍ମର
କି କରୁଣ କି ଦାରୁଣ ଜୀବନ ଯନ୍ତ୍ରଣା
ଭାବୁଛି ସେ ରକ୍ଷା ପାଆନ୍ତା ଯଦି ଥରେ
ସୁଧାରି ନିଅନ୍ତା ନିଜକୁ ଚାଲନ୍ତା ସୁପଥରେ ।