ନୀରବ ଝଡ଼
ନୀରବ ଝଡ଼


ନୀରବ ଯନ୍ତ୍ରଣା କହି ଯେ ହୁଏନା
ଜଳାଏ ସାରା ଅନ୍ତର
ନୀରବ ମଣିଷ ଦୁଃଖ କଷ୍ଟ ସହି
ପାଲଟି ଯାଏ ପଥର ।
ନୀରବ ରହିଛି ବୋଲି ଯେ ତାହାକୁ
ଭାବନି ନିର୍ଜୀବ ଟିଏ
କେମିତି ଜୁଝୁଛି ନିଜ ସହ ନିଜେ
ବୁଝିକି ପାରିବ କିଏ ?
ନୀରବର ଝଡ ଭାଙ୍ଗେ ହୃଦ ବାଡ଼
ତରଳେ କଠିନ ଶିଳା
ଦୁନିଆର କେତେ ସହି ଦୁଃଖ କଷ୍ଟ
ସ୍ନାୟୁରେ ଉଠଇ ବିଳା ।
ରହିଛି ନୀରବ ବୋଲି ନ ଭାବିବ
ପଥରରେ ଗଢ଼ା ଦେହ
ନୀରବ ଯନ୍ତ୍ରଣା ଦୁଃଖର ଖଜଣା
ମାପିହୁଏ ନାହିଁ କୋହ ।
ବରଣ କରିଛି ନିଜକୁ ହରେଇ
ପିନ୍ଧିଛି ମୁକର ବସ୍ତ୍ର
ଅସୁବିଧାର ଯେ ସମାଧାନ ବୋଲି
ନୀରବ ବାଛିଚି ଅସ୍ତ୍ର ।
ଝରଣା ପରିକା ବହୁ ଥିବ କୋହ
ଚିରିଦେଖ ତାର ଦେହ
ଶକ୍ତ ଶରୀରରେ ନୀରବର ଝଡ଼
ଝରାଉ ଥିବ ଯେ ଲୁହ ।
ଡମ୍ବରୁର ତାଣ୍ଡବ ଶବ୍ଦ ତା ଦେହେ
ଅହରହ ବାଜୁଥିବ
ଦୁଃଖ, ଯାତ୍ରଣାରେ ରକ୍ତ କଣିକା ଯେ
ଜଳ ରୂପ ନେଉଥିବ ।।