ନୀଳକଇଁର ଗୁମାନ
ନୀଳକଇଁର ଗୁମାନ
ଗୁମ୍ ସୁମ୍ ରାତିର ଦରଜା ଖୋଲି
କିଏ ଜଣେ ଦେଖ ଆସୁଛି ଚାଲି
ମଧୁଝରା ମୋର ନୟନ ଧାରେ
ସ୍ଵପ୍ନାଞ୍ଜନ ସିଏ ଦେଉଛି ବୋଳି
ଲାଜେ ଭିଜେ ଦେହ ଭିଜୁଛି ମନ
ଜାଣେନାହିଁ ଇଏ କି ସମ୍ମୋହନ
ଶୀତୁଆ ରାତିରେ ନିଦାଘ ସମ
ଜଳି ଉଠେ ଦେହ ଜଳୁଛି ମନ
ଆଖି ଖୋଜିବୁଲେ ତୁମ ଚେହେରା
ନୀରବେ ନିଶ୍ଚଳେ ଦିଏ ଇସାରା
ପାଇବାକୁ ଟିକେ ପ୍ରୀତି ପୀୟୂଷ
ନୀଳକଇଁ ଖୋଜେ ଜହ୍ନର ହସ
ଦଗାଦିଆ ଜହ୍ନ ଦିଏନା ଧରା
ରାତି ରାତି ଝୁରେ କଇଁ ବିଚରା
ପାଖୁଡ଼ା ମୁଦି ସେ ଯାଏଁ ଝାଉଳି
ସ୍ଵପ୍ନ ଯାଏ ଭାଙ୍ଗି କଣ୍ଢେଇ ପରି
ତଥାପି ବୁଝେନା ରାତିର ମନ
ପୁଣି ଦେଖାଏ ସେ ମିଠା ସପନ
ଗୁମ୍ ସୁମ୍ ସ୍ଵପ୍ନର ଦରଜା ଖୋଲି
ପୁଣି ଥରେ କିଏ ଆସଇ ଚାଲି