ନଈ
ନଈ
ନଈ ରେ ନଈ ଆମ ଗାଁଆ ନଈ
କେତେ ବଣ ବିଲ ପାହାଡ ଡେଇଁ
ସାପ ପରି ତାର ଅଙ୍କାବଙ୍କା ପଥ
କୁଳୁକୁଳୁ ହୋଇ ଯାଉଛି ବହି ।
କାହିଁ କେତେ ଦୂର ଗିରି କନ୍ଦରରୁ
ଜନମ ନେଇଛି ଝରଣା ହୋଇ
ସମତଳ ଭୁଇଁ ଛୁଇଁଲା ବେଳକୁ
ଝରଣା ରୁ ନାଁ ହୋଇଛି ନଈ ।
କେତେ ଛୋଟଛୋଟ ନଈ ଓ ଝରଣା
ବାଟରେ ତାସାଥେ ମିଶିଛି ଆସି
କଳେବର ତାର ବଡ ହୋଇଅଛି
ଉପନଦୀ ପାଣି ଯିବାରୁ ମିଶି ।
ପାହାଡିଆ ପଥେ ଚଉଡା ତା ଅଳ୍ପ
ପାଣି ଶୁଅ କିନ୍ତୁ ଭାରି ପ୍ରଖର
ସମତଳରେ ତା ଚଉଡା ଅଧିକ
ପାଣି ବେଗ ତାର ଧୀର ବା ସ୍ଥିର ।
ଧୀର ପାଣି ତାର, ନରମ ମାଟିରେ
ଯେଣେ ପାଇଲା ସେ ତେଣେ ବହିଲା
ଶାଖା ପ୍ରଶାଖା ତ ମେଲି ଦେଇ ଶେଷେ
ନୀଳ ସାଗରରେ ହଜି ସେ ଗଲା ।
ନଈ ରେ ନଈ ଆମ ଗାଁଆ ନଈ
ବରଷା ମାସରେ ଛାତି ଫୁଲେଇ
କରାଳ ବଢିର ରୂପ ନିଏ ଯେବେ
କଲିଜାକୁ ଆମ ଦିଏ ହଲେଇ ।
ତା ଶାଖା ପ୍ରଶାଖା ସବୁ ମିଶିଯାଇ
ସମୁଦ୍ର ପରିକା କାଢନ୍ତି ତୋଡ
ଭସାଇ ନିଅନ୍ତି ଗାଁ ଗଣ୍ଡା ସବୁ
ମାନନ୍ତିନି ଜମା ବନ୍ଧକି ବାଡ ।
ନଈ ଉପରେତ ଠାଆ ଠାଆ ଏବେ
ବନ୍ଧ ମାନ ସବୁ ବନ୍ଧା ହୋଇଛି
ପାଣି ଅଟକାଇ ନାଳ ଖୋଳାଯାଇ
ଚାଷ ପାଇଁ ପାଣି ଯୋଗା ଯାଉଛି ।
ବନ୍ଧ ହେବାପରେ ଉଣା ହୋଇଅଛି
ବରଷା ମାସରେ ବଢିର ଡର
ଦୋଫସଲି ଆମ ସବୁ ଜମି ଏବେ
ଦିନୁଦିନ ତାର ବଢୁଛି ଦର ।
ନଈ ଯୋଗୁ ଆମ ଜମିରେ ଫଳୁଛି
ସାରା ବରଷତ ସୁନା ଫସଲ
ସୁଲୁସୁଲୁ ବାଆ ବହୁଛି ନିଇତି
ଲାଗେ ସତେ ନଈ କରୁଛି ଗେଲ ।
