STORYMIRROR

Debadatta Jena

Abstract Tragedy Inspirational

4  

Debadatta Jena

Abstract Tragedy Inspirational

ନଈ

ନଈ

1 min
506


ନଈ..

କେଉଁ ପାହାଡର ଛାତି ଚିରି

ନିଗିଡି ପଡୁଥିବା

ପୋଷ ପୋଷ ରକ୍ତର ସ୍ରୋତ,

ମେଦ, ମାଂସ,ଅସ୍ଥିରୁ ନିଃସୃତ,

କେଉଁ ରସାଳ ପ୍ଲାବନର

ସ୍ୱତଃସ୍ଫୁର୍ତ୍ତ ଉତ୍ସ,

ରକ୍ତ, ଘର୍ମ,ଚାରୁ ଚର୍ବଣର

ଅନେକ ଉତ୍ସସିତ ମୋହ,

କାହା ଉଦରରୁ ଉଦ୍ଭାସିତ,

ପରସି ଦେଉଥିବା

କେଉଁ ମହାର୍ଘ୍ୟ ପାଦୁକ..!

ନଈ..

ପୁଣ୍ୟରେ ସେ ମନ୍ଦାକିନୀ,

ଧୋଇ ପାରେ ପାପ,ତାପ,

ପିତୃ ପୁରୁଷଙ୍କ ପିଣ୍ଡ,

ପ୍ରେମରେ ସେ ସ୍ରୋତସ୍ୱିନୀ,

ନିନାଦିନୀ, ନିର୍ଝରିଣୀ,

ବୁକୁରେ ତା ମିଳନର ରାସ,

ସ୍ୱଚ୍ଛନ୍ଦରେ ଋଷିକୂଲ୍ୟା,

ପ୍ରାବଲ୍ୟ ପୀୟୂଷର ପ୍ରାଣ,

ଧମନୀରେ ପ୍ରବାହିତ ଯେତେ

ଢେଉ ଅଫୁରନ୍ତ ବନ୍ୟା,

ନଦୀ ନୁହେଁ ନାରୀ ସେତ

ହୃଦୟରେ ଉନ୍ମିଳିତ ପ୍ରେମ

ଅସୁମାରୀ ତୃଷ୍ଣା..!

ନଈ..

କେଉଁ କିଶୋରୀର ବେଣୀ,

ନାହିଁ ସ୍ମୃତିରେ ତା ବଂଶୀ ସ୍ଵନ

ଏବେ ପ୍ରପଞ୍ଚର ବେଢ଼ି,

ସିଂହକଟୀ ଏବେ ଜୀର୍ଣ୍ଣ ଶୀର୍ଣ୍ଣ,

ଦିଏ ଭୟଙ୍କର ରଡ଼ି,

ତନୁରେ ତା ବିଷ ଜ୍ୱାଳା,

ଭୁଲୁଣ୍ଠିତ ଶୋଭା ଏବେ

ଭାଷେ ଅବ୍ୟକ୍ତ ଯନ୍ତ୍ରଣା,

ଜରାଜୀର୍ଣ୍ଣ ଅବୟବ ଏବେ

ଵିଲୁପ୍ତ ଓ ବିକ୍ଷିପ୍ତ ତା ଶିରୀ,

ଶରୀର ଯେ ଖିନ୍ନ ଭିନ୍ନ

ସ୍ୱାନ ଶୃଗାଳର ମେଳି..!

ଏ ନଈ..

ନାହିଁ ତା କୁଳୁ କୁଳୁ ନାଦ,

ନାହିଁ,ଉତୁରା ଯୌବନ ନିନାଦ,

ନଈ ଏବେ ନୀରବ, ନିଃସ୍ତବ୍ଦ,

ନାହିଁ ଛାତିରେ ଛାତିଏ ତା ପ୍ରେମ,

ନାହିଁ ସ୍ବପ୍ନ ମନା ଚାନ୍ଦିନୀର

ଆବେଗ,ଅସୀମ ଉନ୍ମାଦ,

ସଂକୀର୍ଣ୍ଣ ତା ସବୁଜିମା

ଗାରିମାର ସେ ବିମୋହିତ ଚିହ୍ନ,

ନଦୀ ନୁହେଁ ନାରୀ ଯେବେ

ଅସହାୟ ପୂତ ପଙ୍କିଳ,ଆବିଳ,

ନାରୀ, ନଦୀ ଆହତ ଆବୃତ,

ବୁଭୁକ୍ଷୁର ଆର୍ତ୍ତନାଦ,କରୁଣ,

କରାଳ,ଏବେ ବିବର୍ଣ୍ଣ ବିଦୀର୍ଣ୍ଣ...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract