ନଈ
ନଈ
ପ୍ରକୃତିରାଣୀର ଶୋଭାମୟୀ କାନ୍ତି
ବିମୋହିତ କରେ ସଦା,
ଗଢିଛି ବିନ୍ଧାଣି ନାହିଁ ତା ଉପମା
ପ୍ରତିକ୍ଷଣେ ଶାନ୍ତିପ୍ରଦା |
ବୁହାଇ ଦେଇଛି ବୁକୁରେ ତାହାର
ଛୋଟ ବଡ଼ କେତେ ନଈ,
କୁଳୁ କୁଳୁ ନାଦେ ଉଛୁଳା ସଙ୍ଗୀତେ
ଧିରେ ଧିରେ ଯାଏ ବହି |
କେଉଁ କାଳରୁ ସେ ଅବିଶ୍ରାନ୍ତ ଭାବେ
ବହେ ହୋଇ ଚିର ସ୍ରୋତା,
ଇତିହାସ ତାର କିଏ ବା ଲେଖିଛି
କିଏ ଭାବେ ତାର ବ୍ୟଥା |
କେଉଁଠି ପବିତ୍ର ସ୍ନାନେ ପାପନାଶ
କରୁଥାଏ ଜଳଦାନ,
କେଉଁଠି ତା ସ୍ରୋତେ ବର୍ଜ୍ୟବସ୍ତୁ ଫିଙ୍ଗେ
ଗଢି କୂଳେ ଶିଳ୍ପlୟନ |
ପଚା ଶବ ଭାସେ ଭରେ ତା ଜଳରେ
ସହର ନର୍ଦ୍ଦମା ପାଣି,
ସହିଛି ନୀରବେ ସ୍ୱାଭାବିକତାରେ
କେବେ ବିମୁଖ ହୋଇନି |
ଯୋଗାଇ ଦେଇଛି ଆନନ୍ଦେ ତା ଜଳ
କୃଷିକ୍ଷେତ୍ରେ ଅବିଚଳେ,
ବସୁଧା ବକ୍ଷକୁ ସଜାଇ ଦେଇଛି
ଭରା ସୁନେଲି ଫସଲେ |
କେତେ ରାଜା ରାଣୀ ସୁନ୍ଦରୀ କାମିନୀ
କେତେ ଯେ ରାଜକୁମାରୀ,
ସ୍ନାନବେଳେ ସ୍ପର୍ଶ ପାଇଛି ତାଙ୍କର
ଆଦରେ କୋଳରେ ଧରି |
ଦେଖିଛି ଅତୀତେ ଯୁଦ୍ଧ ବିଭୀଷିକା
ରକ୍ତ ତା ସ୍ରୋତେ ବହେ,
କେତେ ଆତ୍ମହତ୍ୟା ଘଟିଛି ତା ବୁକେ
ସ୍ତମ୍ଭୀଭୂତ ହୋଇ ରହେ |
କେତେବେଳେ ଶାନ୍ତ କେତେବେଳେ କ୍ରୋଧେ
ଫୁଲାଇ ଦିଏ ତା ଦେହ,
ବନ୍ୟା ରୂପେ ସେ ଭରିଦିଏ ଦୁଃଖ
ଝରାଏ ଆଖିରୁ ଲୁହ |
ନଈଟିଏ ସିଏ ବହି ବହୁଦୂର
ସୀମାହୀନ ସ୍ମୃତି ଧରି,
ମିଶାଇ ଦିଏ ସେ ସାଗରେ ନିଜକୁ
ମୋକ୍ଷ ଆଶା ମନେ ଭରି |
