ନିଃସଙ୍ଗତା
ନିଃସଙ୍ଗତା
ପାର୍ଥିବ ଶରୀର ରୂପ ରଙ୍ଗ ଭରା
କୋଳାହଳ ମୟ ଧରା
ହେଲେ ନିଃସଙ୍ଗତା ଗୁମୁରି କାନ୍ଦୁଛି
ଖୋଜଇ କିଛି ନିଆରା ।
ବିମୁଗ୍ଧ ଆକାଶ ତନ୍ଦ୍ରା ତାରା ଯୁକ୍ତ
ଜହ୍ନ ନିଃସଙ୍ଗତା ଭାସେ
ଶୀତଳ ଜୋଛନା ବିଧୌତ ରଜନୀ
ହେଲେ ମୌନତା ପରଶେ ।
ସଂପର୍କର ଆଦ୍ୟ ଓଁ କାର ଖୋଜଇ
ସ୍ମୃତି ଶିହରଣ ଗାଥା
ପଣତୁ ଖୋଜଇ ନିଃସଙ୍ଗ ମନଟା
ଲହୁ ଲୁହର ବାରତା ।
ନିଃସଙ୍ଗତା ଖୋଜେ ଚିଠି ପାଖୁଡାରୁ
ପ୍ରତାରଣା ପ୍ରତିଛବି
ତନ୍ଦ୍ରା ଭିଜା ରାତ୍ରୀ ନିରସ ଲାଗଇ
ଅଚିହ୍ନା ପ୍ରୀତି ପୁରବୀ |
ପଥପ୍ରାନ୍ତେ କରେ ଦୁଃଶାସନ କାଣ୍ଡ
ମର୍ଯ୍ୟାଦା ଲଙ୍ଘନ କରେ
ନିରିମାଖି ଆଜି ବାକ୍ ଶକ୍ତି ବିହୀନ
ଦୁନିଆ ର ପ୍ରଶ୍ନ ଘେରେ ।
ନିଃସଙ୍ଗ ଜୀବନ ପଚ଼ାରେ ଯେ ପ୍ରଶ୍ନ
ନିଜେ ନିଜେ ବାରମ୍ଵାର
ଦୋଷ ନ ଥାଇ ବି ଅନ୍ତର୍ଦାହେ ଦଗ୍ଧ
ନିଃସଙ୍ଗ ଜୀବନ ତୀର ।
ଶରୀରେ ଯାତନା ଛାତିରେ ବେଦନା
ସ୍ମୃତ ମାଖା ଯେ ସମୟ
ନିଃଶବ୍ଦ କାନ୍ଦଣା କରେ ଆନମନା
ମୁଖ ପରା ପ୍ରଶ୍ନମୟ ।
ସାଗର ସୈକତ ମୁଠା ମୁଠା ମାଖି
ନିଃସଙ୍ଗତା ଘୁରି ବୁଲେ
ସାଗର ବେଳା ରେ ଶାମୁକା ସାଉଁଟା
ପ୍ରୀତି ମନ୍ଦାକିନୀ ଚ଼ାଲେ ।
ପ୍ରୀତି ପାଖୁଡ଼ାରେ ମାଟି ଲେଖି ଅଛି
ଆକାଶକୁ ପ୍ରେମ ଚିଠି
ବାଦଲ କହୁଛି ବରଷିବ ବୋଲି
ହେଲେ ଖଟୁ ଅଛି ବେଠି |
ନିଃସଙ୍ଗତା ଏଠି ଫଲ୍ଗୁ ଧାରଟିଏ
ଉଖାଡ଼ିଲେ ଜାଣି ହୁଏ
ମାଟିରୁ ଆକାଶ ଦେଖ ମସଗୁଲ
ହେଲେ ନିଃସଙ୍ଗ ସଭିଏଁ ।
ନଦୀଧାର ଶୁଷ୍କ ଧରିତ୍ରୀ ବିମୁଖ
ବିବେକ ର ହତ୍ୟା ହୁଏ
ମାନବତାବାଦ ରକ୍ତେ ଜୁଡୁ ବୁଡୁ
ନିଃସଙ୍ଗେ ଗୁମୁରୁ ଥାଏ |
ଆତ୍ମାର ବିଳାପ ପ୍ରୀତି ଶିଳା ଲେଖ
ପ୍ରେମ ସଂଳାପ ର ଶବ୍ଦ
ନିଃସଙ୍ଗତା ଫେଡ଼େ ତା ଦୁଇ ନୟନ
ହେଲେ ପ୍ରତିଧ୍ୱନୀ ରୁଦ୍ଧ |
ନିଃସଙ୍ଗତା ଆଜି ବ୍ୟାଧି ଭଳି ଲାଗେ
ନିରୁତ୍ସାହ ମନବୀଣା
ପାଦ ହେଉଅଛି ବିପଥ ବାଟୋଇ
ବିବେକ ଯେ ବାଟବଣା ।
ନିଃସଙ୍ଗତା ଆଜି ଅନ୍ତର୍ମନେ ପଶି
ଦୁର୍ଘଟଣା ଯେ ଘଟାଏ
ହେଲେ ଏ ମଣିଷ ଜୀବନ ଲକ୍ଷ୍ୟକୁ
କାହିଁକି ବା ଭୁଲି ଯାଏ ।
କେହି ଆମ ସଙ୍ଗ ନଦେଲେ ନ ଦେଉ
ନ ହେଉ ଆମର ସାଥୀ
ଆମ ସୃଷ୍ଟିକର୍ତ୍ତା ଆମର ସଙ୍ଗୀ ଯେ
ତାଙ୍କ ସଙ୍ଗେ ଚ଼ାଲୁ ରଥୀ ।
ସାଥୀ କରିନେଲେ ପରମ ପିତାଙ୍କୁ
ସବୁ ଶୂନ୍ୟ ପୂର୍ଣ୍ଣ ହେବ
ନିଃସଙ୍ଗ ଜୀବନ ହେବ ଭାବମୟ
ଆତ୍ମା ମହକି ଉଠିବ |
