ନିଃଶବ୍ଦ ନାୟିକା
ନିଃଶବ୍ଦ ନାୟିକା
ପ୍ରିୟାଗୋ, ସାତ ସପନର ଇନ୍ଦ୍ରଧନୁ ତୁମେ
ନୀଳ ଆକାଶର ଜହ୍ନ
ମେଘୁଆ ସଞ୍ଜର ଚପଳାଗୋ ତୁମେ
ଫଗୁଣ ଫଗୁର ବର୍ଣ୍ଣ |
କୃଷ୍ଣଚୂଡ଼ାର ପାଖୁଡା ଗୋ ତୁମେ
ମଧୁ ମକ୍ଷିକାର ଗୁଞ୍ଜନ
ପ୍ରିୟତମର ସେ ଉଦାସୀ ଚକ୍ଷୁରେ
ତୁମେ ଅସୁମାରୀ ପ୍ରଶ୍ନ |
ଅପରୂପ ତୁମ ଲାବଣ୍ୟ ପସରା
ବିଧାତା ଦେଇଛି ଖଞ୍ଜି
ମଳୟରେ ତୁମେ ଭାରି ଆନମନା
ବୈଶାଖରେ ତପ୍ତ ଝାଂଜି |
ଶ୍ରାବଣରେ ତୁମେ ମୁକ୍ତ ବାରି ଧାରା
ଶୀତରେ କାକର ବିନ୍ଦୁ
ଉଆଁସ ରାତିର ନିମ୍ନଗା ତୁମେ
ଲକ୍ଷ୍ୟ ବିଶାଳ ସିନ୍ଧୁ |
ମନ ଉପବନେ ଫୁଲଟିଏ ହୋଇ
ଆସିବ କି ପ୍ରିୟା ଥରେ
ଝରା ଶେଫାଳିର ପ୍ରୀତି ଫୁଲ ହାର
ପିନ୍ଧାଇବି ତୁମ ଠାରେ |
ଜୀବନଟା ସାରା ଝୁରୁଛି ତୁମକୁ
ଝୁରୁଥିବି ପ୍ରିୟତମା
ତୁମେ ମୋ ମନର ନିଃଶବ୍ଦ ନାୟିକା
ତୁମେ ଶବ୍ଦ ଅନୁପମା |