ନିଆରା ରଜ
ନିଆରା ରଜ
ଆଜି ପରା ଆସେ ପହିଲି ରଜରେ
ନିଆରା ନିଆରା ବାସ୍ନାଟା
କର୍ପୁର ଯାଇଛି ବାସନା ହଜିଛି
ରହିଛି କପଡ଼ା ପୁଡ଼ାଟା ।।
ନାହିଁ ଆମ୍ବ ତୋଟା ରଜ ମଉଜଟା
ବାଉଁଶ ଦଉଡ଼ି ଦୋଳିଟା
କୁଆଁରୀ କଣ୍ଠରେ ଶୁଭୁନି ଗୀତରେ
ସବୁ ହୋଇଲାଣୀ ଓଲଟା ।।
ହଳଦୀ ପତର ଏଣ୍ଡୁରି ପିଠାର
ନାହିଁ ପୋଡ଼ ପିଠା ବାସ୍ନାଟା
ଘରେ ସବୁଦିନ ମଟନ ଚିକେନ
ରଜେ କି ନିଆରା ସ୍ୱାଦଟା ।।
ନାହିଁ ମୁଢ଼ି ଚୂଡା ଗଣ୍ଠିଲି ଉଖୁଡା
ମାମୁଁ ହାତେ ମିଠା ପୁଡ଼ାଟା
ଦଳ ଦଳ ହୋଇ କୁଆଁରୀ ଝିଅଙ୍କ
ନାହିଁ ଆଉ ସାହି ବୁଲାଟା ।।
ମୋବାଇଲ ଫୋନ ଅଟେ ବଡ ପ୍ୟାନ
ଯୁବକ ଯୁବତୀ ମନଟା
ଘଡ଼ିଏ ଅନ୍ତର ହେଲେ ଅନ୍ଧକାର
ହୋଇଯାଏ ତାଙ୍କ ଦିନଟା ।।
ତାସ ପଶା ଖେଳ କବାଡି ଆସର
ନାହିଁ ଆଉ ବାଡ଼ି ଖେଳଟା
ପାଲା ଦାସ କାଠି ଦିଶୁନି କେଉଁଠି
ଜମୁଛି ମେଲୋଡି ନାଚଟା ।।
ଆମ ସଂସ୍କୃତିର ପୁନିଅଁ ପର୍ବର
ନାହିଁ ସେହି ଭାତୃ ଭାବଟା
ମଦରେ ମଦରେ ଏ ଦୁନିଆଁ ଚାଲେ
ମଦୁଆଙ୍କ ପାଇଁ ପର୍ବଟା ।