ନିଅ ଶେଷ ଫୁଲ
ନିଅ ଶେଷ ଫୁଲ
ଲାଗେ ହୀନିମାନ ପୁରୁଷ କେ' ଆନ
ତୁମ ସାଥେ ହେଲେ କଥା
ଜାଣିନ ସତରେ ମୋହରି ଅନ୍ତରେ
ଭରିଯାଏ କେତେ ବ୍ୟଥା ।
ମନ୍ଦକୁ ନଜାଣି ଦେଖାଇଲେ ଠାଣି
ମିଛ ପ୍ରଶଂସାରେ ବୁଡ଼ି
ଛଳ ପରିଣାମେ ହାରିଯିବା ଆମେ
ବାଟରୁ ନଯାଅ ହୁଡି ।
ରାଗ ଅଭିମାନ ଏତେ ପରିମାଣ
ଯାଇଅଛି ଯଦି ବଢ଼ି
ଦୂରେ ଥାଉ ତର୍କ ରହିବ ସତର୍କ
ତୁମେ ତ ଅଫୁଟା କଢି ।
ଦେଖି ସଜଫୁଲ ନିଶ୍ଚେ ଅଳିକୁଳ
ଚଉପାଶେ ଯିବେ ଘେରି
ବେପରୁଆ ହେଲେ ହୁଏନାହିଁ ହେଳେ
ଝରିଯିବା ପାଇଁ ଡେରି ।
ମନ ଯଦି ନାହିଁ ତୁମ ଇଚ୍ଛା ଚାହିଁ
ଦୂରେଇବି ସ୍ମୃତି ହୋଇ
ଗୋଡ଼ ଗଲେ ଖସି କାଦୁଅରେ ପଶି
ଦାଗ କି ପାରିବ ଧୋଇ ?
ତୁମେ ଭାବିପାର ନିଷ୍ପତ୍ତି ନେବାର
ଅଛି ବୋଲି ଅଧିକାର
ମଉନ ନରହି ଦେଉଅଛି କହି
ନାହିଁ ୟାର ପ୍ରତିକାର ।
ଚୁମେ ନାହିଁ ସିନା ତୁମ ଦେଖା ବିନା
ଦିନ ମୋ' ହୁଏନି ଶେଷ
ଦେଖିଲେ ଅଲରା କେତେଥର ପରା
ସଜାଡ଼ି ଦେଇଛି କେଶ !
ଯିବନି ପାସୋରି ଚିତ୍ତ କରି ଚୋରୀ
ସଜାଇଛ ଅନୁରାଗୀ
ନିଅ ଶେଷ ଫୁଲ ସ୍ନେହ ଶ୍ରଦ୍ଧା ମୂଲ
ମାଗୁନାହିଁ ଏଥିଲାଗି ।

