ନେଉଛି ବିଦାୟ
ନେଉଛି ବିଦାୟ


ନେଉଛି ବିଦାୟ ଆହେ ବାପା ମୋର
ଶାଶୁଘର ଚାଲିଯିବି ,
ବହୁ ଦୂର ବାଟ ଫେରିକି ଚାହିଁଲେ
ତୁମ ମୁଖ କି ଦେଖିବି |୧|
ଏତେ ଶରଧାରେ ସରାଗ ସ୍ନେହରେ
ମୋ ବାପା ବଢ଼ାଇଥିଲ,
କେଉଁ ସ୍ବାର୍ଥ ପାଇଁ ପଠେଇ ଦେଉଛ
କିବା ମୋତେ ଭୁଲିଗଲ |୨|
କୋଡ଼ିଏ ବରଷ ଅଳି ଅର୍ଦ୍ଦଳିକୁ
କେଡ଼େ ସୁଖେ ସହିଥିଲ,
ସବୁ ଅଭିଯୋଗ ଅଭାବ ସବୁକୁ
ହସି ହସି ସହିନେଲ |୩|
ସବୁ ସଂପର୍କକୁ କାଟିଦେଲା ପ୍ରାୟେ
ଲାଗୁଛି ମୋତେ ପରତେ,
ତୁମଠାରୁ ଦୂରେ ରହିବି କିପରି
ବୁଝି ପାରୁନାହିଁ ସତେ |୪|
କିବା କଷ୍ଟ ଦେଲି ମୋ ପ୍ରିୟ ବାପାଙ୍କୁ
କହି କେବେ ନ ପାରିଲ ,
ମନର କଷ୍ଟକୁ ଚାପି ଦେଇକରି
ମୋତେ ବିଦା କରିଦେଲ |୫|
>
ପାଟିରୁ ତୁମର କଥା ସ୍ଫୁରୁନାହିଁ
ଆଖିରୁ ବହେ ଲୋତକ,
ମୋ ହୃଦ କରତି ହୋଇଯାଏ ବାପା
ଛାତି ହୁଏ ଧକଧକ |୬|
ହୃଦରୁ କଲିଜା ଫାଡ଼ି ଦେଲା ପ୍ରାୟେ
ଲାଗୁଅଛି ବାପା ମୋତେ,
କେମିତି ସହିବି ବାପା ସ୍ନେହ ଛାଡ଼ି
ବଞ୍ଚି ମୁଁ ପାରିବି କେତେ |୭|
ଝିଅ ଦେଲି ବୋଲି ଭୁଲିଯିବ ନାହିଁ
ବୋପା ମୋ ଦେବତା ପରି,
ତୁମ ପଦ ସେବା ବଞ୍ଚିତ କରିଲ
କରୁଥିଲି ପ୍ରାଣଭରି |୮|
ଶାଶୁଘର ବେଡ଼ି ପକାଇଦେଲ ହେ
ଝୁରୁଥିବି ବାପା ବୋଲି,
ମୋ ମନ ମନ୍ଦିରେ ତୁମେ ରହିଥିବ
ସେନେହ ଶରଧାବାଲି |୯|
ତୁମ ପଦଧୂଳି ନ କରିବ ଊଣା
ଝିଅ ବିଦା କରି ଦେଇ,
ଚାହିଁ ରହିଥିବି ତୁମରି ବାଟକୁ
କବାଟ ପାଖରେ ଥାଇ |୧୦|