ନଦୀ ବର୍ଷା ଓ ମୁଁ
ନଦୀ ବର୍ଷା ଓ ମୁଁ
ଅତି ପ୍ରିୟ ମୋର ଗାଁ ନଈକୂଳ
ସେ ବାଦାମୀ ତୁଠ ପଥର,
ନ ଦେଖିଲେ ଦିନେ ତା ତନୁବଲ୍ଳରୀ
ଲାଗେ ସବୁ ଶୁନ୍ୟସାର ।
ଶାନ୍ତ ଗୋଧୂଳିରେ ଚହଲା ତା ଜଳେ
ପାଦକୁ ମୋ ରଖି ଧୀରେ,
ସେ ପଥରେ ବସି ନିରେଖେ ତା ରୂପ
କଳ୍ପନାର ଅଭିସାରେ ।
ସେଦିନ ସେମିତି ବସିଛି ତା କୋଳେ
ନିଦୁଆ ଆକାଶ ତଳେ,
ଅଚାନକ କାହୁଁ ଘୋଟି ଆସିଥିଲା
କଳାମେଘ ଦଳବଳେ ।
ଭାବିବା ଆଗରୁ ବର୍ଷିଗଲା ଖରେ
ଅଶ୍ଵ ଟାପୁ ଶବ୍ଦ କରି,
ଦିଗନ୍ତ ସେପାଖୁ କାହୁଁ ଆସି ପୁଣି
ବଣ ବିଲ ଗଲା ମାଡ଼ି ।
କ୍ଷଣକରେ ଦିଶେ ଘନ ଅନ୍ଧକାର
ମୋ ଫେରିବାର ପଥ କାହିଁ,
ମୋତେ ଲାଗେ ସତେ ମଝି ଦରିଆରେ
ନିରୁପାୟ ଛିଡ଼ା ହୋଇ ।
ଆକାଶ ତଟିନୀ ଏକାକାର ଆଜି
ଅଧ ଉର୍ଦ୍ଧ୍ବ ପରିବ୍ୟାପ୍ତ,
ଧୂମ୍ରମୟ ଦିଶେ ଚତୁର୍ଦିଗ ମୋର
ମୁଁ ଜଳବନ୍ଦୀ ପ୍ରାୟ ଲୁପ୍ତ ।
କାକୁସ୍ଥ ପରାୟେ ପଥରଟି ପରେ
ଭିଜୁଥିଲି ଭୟ ପାଇ,
କାହୁଁ ଆସିଥିଲି ଫେରିବି ମୁଁ କାହିଁ
ଦିଗ ଭ୍ରମେ ପଡ଼ୁଥାଇ ।
ଶୁଭେ ଘଡଘଡ଼ି ଘୋର ନାଦ କରି
ପ୍ରାଣ ହୁଏ କମ୍ପମାନ,
ବିଜୁଳି ଚମକେ ମୁଦି ହୁଏ ଆଖି
ମୁଁ ଜଡ଼ସମ ଦଣ୍ଡାୟମାନ ।
ଛିଡ଼ି ଯାଉଥିଲା ଆସକ୍ତିର ସବୁ
ଗୋଟି ଗୋଟି କରି ଶୃଙ୍ଖଳ,
ଜଳ ହିଁ ଜୀବନ ଜୀବନ ଆଶ୍ରୟେ
ପୁରିଥିଲା ମୋର ଆଞ୍ଚଳ।
ବାହୁ ପ୍ରସାରିତ କରି ଆଲିଙ୍ଗନ
କରୁଥିଲି ଜଳଧାରାକୁ,
କେହି ସତେ ବୋଧେ ଯାଉଥିଲା ଛୁଇଁ
ଅଜାଣତେ ମୋର ଆତ୍ମାକୁ ।
ତଲ୍ଲୀନ ହୋଇ ସେ ଜଳ ବଳୟେ
ହଜିଲି ବାରି ବଳୟେ,
ସମାହିତ ହେଲି ସେ ବାରିଧାରାରେ
ସମ୍ମୋହିତ ହୋଇ ବିସ୍ମୟେ ।
ଅହଂତ୍ୱର ଯେତେ ପାଚିରୀ ଭାଙ୍ଗିଲା
ମୁକ୍ତ ହେଲି ଯୁକ୍ତ ହେଲି,
ଅନାୟାସେ ମୋର ଉଚ୍ଚାରଣ ହେଲା
ନିସ୍ତରିଲି ନିସ୍ତରିଲି ।