ନାର୍ଯ୍ୟଦାବୀ
ନାର୍ଯ୍ୟଦାବୀ
ସ୍ୱାଧୀନ ଆମେ ସ୍ୱତନ୍ତ୍ର ଆମେ
ବ୍ୟବସ୍ଥା ଗଣତାନ୍ତ୍ରିକ
ଅଛି ଲିପିବଦ୍ଧ ସମ୍ବିଧାନେ ଆମ
ଅଧିକାର ମଉଳିକ ।
ସୁଷମ ଭାବରେ ନ୍ୟାୟ ପ୍ରଶାସନ
ଅଭାବ କାର୍ଯ୍ୟାନ୍ୱୟନ
ଧନୀ ଓ ଗରିବ ଥିଲା ନଥିଲାର
ବଢୁଅଛି ବ୍ୟବଧାନ ।
ତ୍ୱରିତ ଭାବରେ ସଠିକ ନିଷ୍ପତ୍ତି
ନେବାରେ ହୁଏ ବିଳମ୍ବ
ପାଏ ନାହିଁ ନ୍ୟାୟ ସମାଜେ ପୀଡିତ
କାନ୍ଦେ ବେକାର ଗରିବ ।
ଅର୍ଥର ଲାଳସା କରିଦିଏ ଅନ୍ଧ
ଭ୍ରଷ୍ଟାଚାର ମହାମାରୀ
ବାଡ଼ ଖାଇଯାଏ ଖେତର ଫସଲ
ଧନବାନ ଦୁରାଚାରୀ ।
ଫାଟିଯାଏ ଗଳା ଚିତ୍କାର ପୁକାର
ଧର୍ମଘଟ ହରତାଳ
ନାର୍ଯ୍ୟଦାବୀ ପାଇଁ ବନ୍ଦ ରାସ୍ତାଘାଟ
ଆଲୋଚନା ମୂଲଚାଲ ।
ହୁଏ ବିପର୍ଯ୍ୟସ୍ତ ଧନ ଓ ଜୀବନ
ହଟଗୋଳ ପୋଡ଼ାଜଳା
ପ୍ରଭାବିତ ହୁଏ ଦେଶ ଅର୍ଥନୀତି
ଦୈନିକ ଜୀବନଯାତ୍ରା ।
ହେଉ ବ୍ୟବସ୍ଥିତ ସୁପରିଚାଳିତ
ନାର୍ଯ୍ୟଦାବୀର ହାସଲ
ନ ହେଉ କାହାର କ୍ଷତି ଅକାରଣ
ନ ଭୋଗୁ ଜନ କଷଣ ।
