ନାରୀ
ନାରୀ
ନିଜର ସବୁ ଇଛା ସପନକୁ
ଘୃତ ପରି ଜାଳିଦେଇ
ସଳିତାଟେ ହୋଇ ନିଜେ ଜଳେ
ଆଲୋକିତ କରେ ସିନା
ଘର ସାରା ତା' ଜ୍ୟୋତିରେ
ନିଜେ ରହେ ଅନ୍ଧାର ଭିତରେ
କି ସୁଖ ସେ ପାଏ
ଏକା ନିଜେ ହିଁ ସେ ଜାଣେ
ସର୍ବସ୍ବ ତା' ବଳି ଦେଇ
କର୍ତ୍ତା ହୁଏ ସଂସାର ଯଜ୍ଞରେ ।
ତଥାପି ପାଏନା ଯଶ
ଅପମାନ ଯେତେ କିନ୍ତୁ
ଲେଖା ତା' ଭାଗ୍ୟରେ
ସୁଖ ଶବ୍ଦ ତା' ପାଇଁ ନିଆରା
ଦୁଃଖ ଯେତେ ହଜିଯାଏ
ତା' ହୃଦୟ ମରୁବାଲିରେ
ହୃଦୟଟା କେତେ ଯେ ବିଶାଳ ତା'ର
ମାପିବାକୁ ସାଗର ବି ଡରେ
ହଜିଯିବ କାଳେ ତା'ର
ଅପରିସୀମ ବକ୍ଷରେ ।
ସେ ହିଁ ତ ନାରୀ
ପୁରୁଷର ପୁରୁଷପଣିଆ
ଯା' ପାଖେ ଯାଇଛି ହାରି
ଅନେକ ରୂପରେ ରହି
ଟାଣି ନିଏ ପୁରୁଷର ହାତ
ତା'ରି ପାଇଁ ସହଜେ
ଗଡ଼ିଚାଲେ ସଂସାରର ରଥ
