ନାନାବାୟା ଗୀତ(ଶିଶୁକବିତା)
ନାନାବାୟା ଗୀତ(ଶିଶୁକବିତା)
ବାଇଚଢ଼େଇରେ ବାଇଚଢ଼େଇ
ତୋ ମାଆ ଯାଇଛି ଆହାର ପାଇଁ
ଆଣିବ ତୋ ପାଇଁ ଗଛରୁ ତୋଳି
କଣ୍ଟେଇ,କାଆଁର,ଭଇଁଛି କୋଳି
ନାନଜାତି ନାଲି ପାଚିଲା ଫଳ
ଲିଚୁ, ଜାମୁକୋଳି ପାଚିଲା ବର
କୁନିଥଂଟରେ ତୁ ଖାଇବୁ ନେଇ
ଖୁସିରେ ବସାରେ ପଡ଼ିବୁ ଶୋଇ
ବାଇଚଢ଼େଇରେ ବାଇଚଢ଼େଇ ।1।
ଉଚ୍ଚ ତାଳଗଛେ ତୋହରି ଘର
ପାଣିପବନକୁ ନାହିଁରେ ଡର
ତୋ ବସା ଝୁଲୁଛି ଆକାଶେ ଦୋଳି
ପବନ ସାଥିରେ ହୋଇଛି ମେଳି
କୁନି ଡେଣା ମେଲି ତାସାଙ୍ଗେ ଯିବୁ
ଜହ୍ନ ରାଇଜକୁ ଛୁଇଁ ଆସିବୁ
ପରୀରାଣୀ ଆଉ ତାରାଙ୍କ କଥା
ଗୋଟି ଗୋଟି କାନେ କହିବୁତୁହି
ନିଦରେ ପରା ମୁଁ ପଡ଼ିବି ଶୋଇ
ବାଇଚଢ଼େଇରେ ବାଇଚଢ଼େଇ
ତୋ ମାଆ ଯାଇଛି ଆହାର ପାଇଁ ।2।
କୁନି ପକ୍ଷୀ ତୋର ବୁଦ୍ଧି ସରସା
କି କଳା କୌଶଳେ ଗଢୁତୁ ବସା ?
ପ୍ରକୃତି ପାରେନି ତୋପରେ ରୁଷି
ନିଜ ଇଚ୍ଛାମତେ ରହୁ ତୁ ଖୁସି
ମନହୁଏ ଵ୍ୟୋମଯାନରେ ଚଢି
ତୋ ସାଥେ ଵଉଦେ ଯାଆନ୍ତି ଉଡ଼ି
ଦେଖନ୍ତି ମୋ ଗାଁ, ନଦୀ,ପାହାଡ
ପଡିଆ,ଝରଣା, ଜଙ୍ଗଲ ଝାଡ଼
ଥାଆନ୍ତା କି କୁନି ଡେଣା ମୋଦୁଇ
ଖୁସିରେ ଉଡନ୍ତି ତୋପରି ମୁଇଁ
ବାଇଚଢ଼େଇରେ ବାଇଚଢ଼େଇ
ତୋ ମାଆ ଯାଇଛି ଆହର ପାଇଁ ।3
