ନାଲି ସିନ୍ଦୂର
ନାଲି ସିନ୍ଦୂର
ନାଲି ସିନ୍ଦୂର ତ ଶକ୍ତିର ସଂକେତ
ରକ୍ଷାର କବଚ ହୁଏ
ଦେବୀଙ୍କ ମଥାରେ ନାଲିଆ ସିନ୍ଦୂର
କି ସୁନ୍ଦର ଶୋଭାପାଏ ।
ମାତା ସୀତାଙ୍କର ସିନ୍ଦୂରକୁ ଦେଖି
ହନୁମାନ ପ୍ରଶ୍ନ କଲେ
ପ୍ରଭୁଙ୍କ ଆୟୁଷ ବଢିଥାଏ ଜାଣି
ମାଥେ ସିନ୍ଦୂର ବୋଳିଲେ ।
ହନୁମାନଙ୍କର ନାଲିଆ ସିନ୍ଦୂର
ଯାହା କପାଳରେ ଥାଏ
ସକଳ ରିଷ୍ଟ ଯେ ଖଣ୍ଡନ ହୁଅଇ
ଭୂତ ପ୍ରେତ ଭୟ ଯାଏ ।
ନାଲି ସିନ୍ଦୂରକୁ ସଧବା ନାରୀଏ
ସିନ୍ଥିରେ ଲଗାଇ ଥାନ୍ତି
ଶଙ୍ଖା ସିନ୍ଦୂରରେ ସଜେଇ ହେଇଣ
ସୌଭାଗ୍ଯବତୀ ହୁଅନ୍ତି ।
ନାରୀର ମଥାରେ ସିନ୍ଦୂରର ଟୋପା
ସ୍ବାମୀ ଆୟୁଷ ବଢାଏ
ଏ ନାଲି ସିନ୍ଦୂର ଶକ୍ତିର ପ୍ରତୀକ
ରକ୍ଷାର କବଚ ହୁଏ ।
କନ୍ୟାଟିଏ ଯେବେ ବଧୂ ସାଜି ଥାଏ
ଲୋଡା ନାଲିଆ ସିନ୍ଦୂର
ବେଦୀର ଉପରେ ସିନ୍ଥିରେ ଲଗାଇ
ଦେଇ ଥାଏ ତାର ବର ।
ପୂଜା ଅର୍ଚ୍ଚନାର ବେଳେ ଦରକାର
ହୁଏ ନାଲିଆ ସିନ୍ଦୂର
ମଙ୍ଗଳା ମାଆକୁ ଭକତିରେ ପୂଜି
ପଣା ଦିଅନ୍ତି ଦାଣ୍ଡର ।
ମନ୍ଦିରକୁ ଭକ୍ତ ଗଲାବେଳେ ସାଥେ
ନିଏ ନାଲିଆ ସିନ୍ଦୂର
ନାଲିଆ ସିନ୍ଦୂରେ ନାଲି ମନ୍ଦାରରେ
ମାଆ ଦିଶେ କି ସୁନ୍ଦର ।
ଶ୍ରଦ୍ଧା ଭକ୍ତି ବିଶ୍ବାସରେ ଭକ୍ତଟିଏ
ମାଆଙ୍କୁ ପ୍ରଣାମ କରି
ମାଆଙ୍କ ସିନ୍ଦୂର କପାଳେ ଲଗାଇ
ଘରୁ ସେ ଥାଏ ବାହାରି ।
ବିନା ସିନ୍ଦୂରରେ ଦେବୀଙ୍କର ପୂଜା
ନା କେବେ ସମ୍ଭବ ହୁଏ
ଏ ନାଲି ସିନ୍ଦୂରେ ଶକ୍ତିମୟୀ ମାଆ
ସନ୍ତାନେ ସୁରକ୍ଷା ଦିଏ ।
ସେଇ ମାଆଙ୍କର ପଦ କମଳରେ
କରୁଅଛି ପ୍ରଣିପାତ
ଶରଣ ପଶୁଛି ଦୋଷ ଧରିବନି
ଜଗତ ଜନନୀ ମାତ ।
