ନାଇଁ, କହି ଆସିଲି ଧାଇଁ
ନାଇଁ, କହି ଆସିଲି ଧାଇଁ
ତୁମରି ଭାବରେ ମଜ୍ଜି ଯାଇଥିଲି
ଆସିଗଲ ଏଇ ବେଶେ,
ଅପୂର୍ବ ଠାଣିରେ ଦୋଳ ବିମାନରେ
ରାଧାରାଣୀ ଘେନି ପାଶେ
ଦିବ୍ୟାନନ୍ଦେ ଭରିଛି ପ୍ରାଣ;
ଭିତର ବାହାର ସବୁ କୃଷ୍ଣମୟ
ତୁମେ ତ ଏ କଥା ନିଶ୍ଚିତ ଜାଣ ।
କେତେ ବାଗେ ତୁମ ବିମାନ ସଜ୍ଜିତ
ପୁଷ୍ପ, ବସ୍ତ୍ର, ଅବିରରେ,
ସର, ଲବଣି ଓ ଭୋଗ ଲାଗିହୁଏ
ଘଣ୍ଟ, ଶଙ୍ଖ ଶବଦରେ
ଶିଙ୍ଗା ନାଦ ଓଗାଳ ଶୁଣି;
ଗାଆଁ ଗୋଟା ସାରା ଗହଳ ଚହଳ
ଦେଖିବାକୁ ତୁମ ଯୁଗଳ ଠାଣି ।
ବସନ, ଭୂଷଣ ନାଉଥିଲେ ମୋର
ସଙ୍ଗୀମାନେ କରି ହାସ,
ମଦନା, ସୁଶୀଳା, ସେବତୀ କହିଲେ
ରୋକିବାକୁ ତାଙ୍କ ପାଶ
ନାଇଁ, କହି ଆସିଲି ଧାଇଁ;
ଖାଇବା କଂସାରୁ ଉଠି ଆସିଛି ମୁଁ
ଟିକିଏ ତୁମର ଦର୍ଶନ ପାଇଁ ।
ଭାରି ଇଚ୍ଛା ହୁଏ ନାଚିବି ଘଡ଼ିଏ
ତୁମରି ଭାବରେ ବୁଡ଼ି,
ନୟନରୁ ଦେଖ ନୀର ବୋହିଯାଏ
ଧଇର୍ଯ୍ୟ ଗଲାଣି ଛାଡ଼ି
ଶକ୍ତିନାହିଁ ହେବାକୁ ଛିଡ଼ା;
ବାହୁ ଯୁଗଳରେ ନିଅ ଆଉଜାଇ
ଏବେ ତୁମ ଅଙ୍ଗ ପରଶ ଲୋଡ଼ା ।

